ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ଚିକିତ୍ସା ପାଇଁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଉଥିବା ପ୍ଲାଜ୍ମା ଚିକିତ୍ସା ପଦ୍ଧତି ମୃତ୍ୟୁହାର କମାଇବାରେ ବିଫଳ ବୋଲି ଦେଶର ଶୀର୍ଷ ଭେଷଜ ଅନୁଷ୍ଠାନ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ଏପରିକି ଏହି ପ୍ଳାଜ୍ମା ଚିକିତ୍ସା ଗୁରୁତର କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବାରେ ବିଫଳ ବୋଲି ସ୍ବାସ୍ଥ୍ୟବିଜ୍ଞାନ ଭିତ୍ତିକ ପତ୍ରିକା ମେଡ୍ରିକ୍ସିଭ୍ର ମଙ୍ଗଳବାର ସଂସ୍କରଣରେ ପ୍ରକାଶିତ ଆଇସିଏମ୍ଆର୍ ରିପୋର୍ଟରେ ଦର୍ଶାଯାଇଛି।
ସୂଚନା ଥାଉ କି, ଏହି ଚିକିତ୍ସା ପଦ୍ଧତିରେ ଜଣେ କୋଭିଡ୍ ଆରୋଗ୍ୟ ବ୍ୟକ୍ତିର ପ୍ଲାଜ୍ମାକୁ ଯଥେଷ୍ଟ ରୋଗପ୍ରତିରୋଧ ପ୍ରତିକ୍ରିୟା ପ୍ରଦର୍ଶନ କରିପାରୁନଥିବା କୌଣସି କୋଭିଡ୍ ରୋଗୀର ରକ୍ତରେ ହିଁ ସଞ୍ଚାଳିତ କରାଯାଇଥାଏ। ଫଳରେ ସୁସ୍ଥ ହୋଇଥିବା ରୋଗୀ ଦେହରେ କୋଭିଡ୍ ବିରୋଧରେ ଭଲ ରୋଗପ୍ରତିରୋଧକ ବିକଶିତ କରିପାରିଥିବା ଏହି ପ୍ଲାଜ୍ମା ନୂତନ ରୋଗୀ ଦେହରେ ଅନୁରୂପ ଫଳ ଆଣିବ ବୋଲି ଆଶା କରାଯିବା ସ୍ବାଭାବିକ। ମାତ୍ର ଆଇସିଏମ୍ଆର୍ ଦ୍ବାରା କରାଯାଇଥିବା ପ୍ଲାସିଡ୍ ନାମକ ବିଶ୍ବର ଏହି ସର୍ବବୃହତ୍ ପ୍ଲାଜ୍ମା ଅନୁଧ୍ୟାନରେ ପ୍ରତିକୂଳ ଫଳ ମିଳିଛି। ଦେଶର ୧୪ଟି ରାଜ୍ୟରେ ସରକାରୀ ଓ ଘରୋଇ ମିଶାଇ ମୋଟ ୩୯ଟି ଡାକ୍ତରଖାନାରେ ୪୬୪ ଜଣ ମଧ୍ୟମ ଧରଣର କୋଭିଡ୍-୧୯ ରୋଗୀଙ୍କୁ ନେଇ କରାଯାଇଥିବା ଏହି ଅନୁଧ୍ୟାନରେ ୨୩୫ ଜଣଙ୍କୁ ୨୪ ଘଣ୍ଟା ଅନ୍ତରରେ ଦୁଇ ଥର ପ୍ଲାଜ୍ମା ପ୍ରୟୋଗ କରାଯାଇଥିବା ବେଳେ ଅନ୍ୟ ୨୨୯ ଜଣଙ୍କୁ କେବଳ ଶ୍ରେଷ୍ଠ ଭେଷଜ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏହାର ୨୮ ଦିନ ପରେ ମିଳିଥିବା ଫଳାଫଳରୁ ପ୍ଲାଜ୍ମା ନେଇଥିବା ରୋଗୀଙ୍କ କ୍ଷେତ୍ରରେ ୧୩.୬ ପ୍ରତିଶତ ମୃତ୍ୟୁହାର ଏବଂ ଅନ୍ୟମାନଙ୍କ ଠାରେ ତାହା ୧୪.୬ ପ୍ରତିଶତ ରହିଥିଲା। ସେହିପରି ଉଭୟ କ୍ଷେତ୍ରରେ ୭.୨ ପ୍ରତିଶତ ରୋଗୀ ହିଁ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସୁତରାଂ ପ୍ଲାଜ୍ମା ନେବା କି ନନେବା ମଧ୍ୟରେ ବେଶୀ କିଛି ଫରକ ପଡ଼ିନାହିଁ ବୋଲି ପ୍ଲାସିଡ୍ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଅପରପକ୍ଷେ, ୭ ଦିନ ପରେ ପ୍ଲାଜ୍ମା ନେଇଥିବା ରୋଗୀମାନେ ଶ୍ବାସକ୍ରିୟାରେ ସମସ୍ୟା ଏବଂ କ୍ଳାନ୍ତି ଅନୁଭବ କରିଥିବା ଜଣାଯାଇଛି।