‘ପ୍ଲାଜ୍‌ମା’ ଚିକିତ୍ସାକୁ ସୀମିତ ରଖିବା ପାଇଁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ : ବିଶ୍ବରେ ଅଦ୍ୟାବଧି ୩୧ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୨ ଲକ୍ଷ ୧୩ ହଜାର ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍–୧୯ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଗଭୀର ଚିନ୍ତାର ବିଷୟ ହେଲା ଯେ ଏହି ରୋଗର ନିରାକରଣ ପାଇଁ ନା କୌଣସି ପ୍ରତିଷେଧକ ଟିକା ଏ ଯାବତ୍ ବାହାରି ପାରିଛି ନା ଏହାର ଉପଚାର ପାଇଁ କୌଣସି ଚିକିତ୍ସା ପଦ୍ଧତି ଫଳପ୍ରଦ ହୋଇପାରିଛି। ତେବେ ଏଭଳି ଘଡି଼ସନ୍ଧି ବେଳରେ ବିଶଲ୍ୟକରଣୀ ତୁଲ୍ୟ ମନେ ହେଉଥିବା ‘ପ୍ଲାଜ୍‌ମା’ ଚିକିତ୍ସା ଦ୍ବାରା ରୋଗ ଭଲ ହୋଇଯିବ ବୋଲି ଆଶା କରି ଏହାର ପ୍ରୟୋଗ ମଧ୍ୟ କରୋନା ପୀଡି଼ତଙ୍କ ଠାରେ ଆରମ୍ଭ ହୋଇଛି। ଏପରିକି ସାମ୍ପ୍ରତିକ ସ୍ଥିତିରେ ଏହା ହିଁ ଶ୍ରେଷ୍ଠ ବିକଳ୍ପ ବୋଲି ଅନେକ ଡାକ୍ତରୀ ବିଶେଷଜ୍ଞ ମତ ଦେଇଛନ୍ତି। ମାତ୍ର ଏପରି ଅଭିନବ ବିକଳ୍ପ ଚିକିତ୍ସା ପଦ୍ଧତି ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଜି ପ୍ରଶ୍ନବାଚୀ ଲଗାଇବା ସହ କରୋନା ରୋଗୀଙ୍କଠାରେ ଏହାର ନିୟମିତ ପ୍ରୟୋଗ ଅକଳ୍ପନୀୟ ବିପଦ ସୃଷ୍ଟି କରିପାରେ ବୋଲି ସତର୍କ କରାଇଦେଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଆଜି କହିଛନ୍ତି ଯେ ଦେଶରେ ଏପରି ଚିକିତ୍ସା ଦ୍ବାରା କୌଣସି କୋଭିଡ୍–୧୮ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାର ଆଦୌ ବିଜ୍ଞାନସମ୍ମତ ପ୍ରମାଣ ନାହିଁ। ତେବେ ଏହା କେବଳ ଗବେଷଣା କିମ୍ବା ନୈଦାନିକ ପରୀକ୍ଷଣ ପାଇଁ ଉପଯୋଗ କରାଯାଇପାରେ। ଏପରି ଚିକିତ୍ସାର ଉପଯୁକ୍ତ ପରିଚାଳନା ନହେଲେ ଶରୀରରେ ନାନା ଜଟିଳ ସମସ୍ୟା ସୃଷ୍ଟି ହେବା ସହ ରୋଗୀର ଜୀବନ ପାଇଁ ଘାତକ ସାବ୍ୟସ୍ତ ହେବ। ତେବେ ଏହାର ଉପାଦେୟତା ଜାଣିବା ପାଇଁ ଦେଶର ଶୀର୍ଷ ଭେଷଜ ଗବେଷଣା ସଂସ୍ଥା ଆଇସିଏମ୍ଆର୍ ପକ୍ଷରୁ ଏ ଦିଗରେ ଦେଶବ୍ୟାପୀ ଗବେଷଣା ଜାରି ରହିଛି। ତେଣୁ କୌଣସି ଅନୁକୂଳ ଫଳାଫଳ ନ ଆସିଲା ପର୍ଯ୍ୟନ୍ତ ଚିକିତ୍ସା ବିଶେଷଜ୍ଞମାନଙ୍କୁ କେବଳ ପରୀକ୍ଷଣ ଓ ଗବେଷଣା ଉେଦ୍ଦଶ୍ୟରେ ‘ପ୍ଲାଜ୍‌ମା’ ଚିକିତ୍ସାକୁ ସୀମିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତିା ସ୍ମରଣଯୋଗ୍ୟ ଯେ ଏହି ଚିକିତ୍ସା ପଦ୍ଧତିରେ ଜଣେ କରୋନା ଆକ୍ରାନ୍ତ ସମ୍ପୂର୍ଣ ରୋଗମୁକ୍ତ ହେବା ପରେ ତାହାର ରକ୍ତରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ଅନ୍ୟ କରୋନା ପୀଡି଼ତଙ୍କ ଠାରେ ଛଡ଼ାଯାଇଥାଏ। ସାଧାରଣତଃ ବାହ୍ୟ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ଶରୀରରେ ଆଣ୍ଟିବଡି ବା ସଂକ୍ରମଣ ପ୍ରତିରୋଧକ ସୃଷ୍ଟି ହୋଇଥାଏ। ଏହି ଆଣ୍ଟିବଡି ରକ୍ତରେ ବିଶେଷ କରି ପ୍ଲାଜ୍‌ମା ଭାବରେ ହିଁ ବର୍ଷ ବର୍ଷ ଧରି ରହିଥାଏ। ଯାହା ଶରୀରରେ ଯେତେ ଅଧିକ ପ୍ଲାଜ୍‌ମା ରହିଥିବ ତାହାର ସଂକ୍ରମଣ ବିରୋଧୀ କ୍ଷମତା ସେତେ ଅଧିକ। ସୁତରାଂ ଜଣେ କରୋନାରୁ ସମ୍ପୂର୍ଣ ଆରୋଗ୍ୟ ହୋଇଥିବା ରୋଗୀର ପ୍ଲାଜ୍‌ମା ହିଁ କରୋନା ସଂକ୍ରମଣକୁ ସଫଳ ଭାବେ ପ୍ରତିରୋଧ କରିପାରିଛି ବୋଲି ଧରିନେବାକୁ ହେବ। ତେଣୁ ତାହାର ପ୍ଲାଜ୍‌ମାର ଆବଶ୍ୟକ ପରିମାଣକୁ ଅନ୍ୟ କରୋନା ପୀଡି଼ତ ଠାରେ ଉପଯୋଗ କରାଗଲେ ନିଶ୍ଚିତ ଭାବେ ଫଳପ୍ରଦ ହେବ ବୋଲି ଆଶା କରି ଚୀନ୍, ଆମେରିକା, ତୁର୍କୀ ଆଦି ଦେଶରେ ଏହାର ପ୍ରୟୋଗ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ମଧ୍ୟ ଏଭଳି ଚିକିତ୍ସା ଚାଲିଛି। ଭେଣ୍ଟିଲେଟରରେ ରହିଥିବା ଗୁରୁତର ରୋଗୀଙ୍କ ଠାରେ ଏପରି ଚିକିତ୍ସା କରାଯାଇଥିବା ବେଳେ ଏହା ଦ୍ବାରା କିଛି ଗୁରୁତର ରୋଗୀ ଭଲ ହେଉଥିବା ଦେଖାଯାଉଛି। ଏହାର ସୁଦୂରପ୍ରସାରୀ ପ୍ରୟୋଗ କରିବା ପାଇଁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଆଗଭର ହୋଇଛନ୍ତି। ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ଏହି ଚିକିତ୍ସାର ଉପଯୋଗ ଜାରି ରହିଥିବା ବେଳେ ଦିଲ୍ଲୀ ଏମ୍ସ ମଧ୍ୟ ଅନୁରୂପ ପ୍ରୟୋଗ କଥା ବିଚାର କରୁଛି। ତେବେ ଏପରି ସମୟରେ କେନ୍ଦ୍ର ସରକାରଙ୍କ ଏଭଳି ସତର୍କତାମୂଳକ ଚେତାବନୀ ଏହି ଚିକିତ୍ସା ପଦ୍ଧତିର ଉପଯୋଗ ନେଇ ଅନେକ ପ୍ରଶ୍ନ ଠିଆ କରାଇଛି।

ସମ୍ବନ୍ଧିତ ଖବର