ହାଇଦ୍ରାବାଦରେ ପ୍ଲାଜ୍‌ମା ଚିକିତ୍ସା ସଫଳ ! ୫ ଜଣ ଗୁରୁତର କୋଭିଡ୍ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ହାଇଦ୍ରାବାଦ: ମହାମାରୀ କୋଭିଡ୍–୧୯ କବଳରୁ ମୁକ୍ତି ପାଇବା ପାଇଁ ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅହରହ ଲାଗିଥିବା ବେଳେ ପ୍ଲାଜ୍‌ମା ଚିକିତ୍ସା ହିଁ ବିଶଲ୍ୟକରଣୀ ଭାବେ ଏହାର ସଫଳ ମୁକାବିଲା କରିପାରିବ ବୋଲି ଅନେକ ଆଶାବାଦୀ ଅଛନ୍ତି। ତଦନୁସାରେ ଚୀନ୍, ଆମେରିକା, ତୁର୍କୀ ଆଦି ଦେଶରେ ଏହାର ପ୍ରୟୋଗ ସହ ଅନୁକୂଳ ଫଳାଫଳ ମିଳିବା ଆରମ୍ଭ ହୋଇଯାଇଛି। ତେବେ ଭାରତ ବି ଏଥିରେ ନିଜସ୍ବ ଛାପ ଛାଡି଼ବା ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଦେଶରେ ସମ୍ପ୍ରତି ମରଣ ସହ ଯୁଝୁଥିବା ଅତି ସାଂଘାତିକ କରୋନା ରୋଗୀଙ୍କୁ ଏହି ଅଭିନବ ପ୍ଲାଜ୍‌ମା ଚିକିତ୍ସା ଯୋଗାଇ ଦେବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଅନୁମତି ଦେଇ ସାରିଛି। ଏହି କ୍ରମରେ ହାଇଦ୍ରାବାଦର ପ୍ରଖ୍ୟାତ ଗାନ୍ଧି ହସ୍ପିଟାଲ୍‌ରେ ୫ ଜଣ ଗୁରୁତର କୋଭିଡ୍ ରୋଗୀଙ୍କର ପ୍ଲାଜ୍‌ମା ଚିକିତ୍ସା କରାଯାଇଛ ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ଜି ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି। ଏହି ଚିକିତ୍ସା ପଦ୍ଧତିରେ ଜଣେ କୋଭିଡ୍ ରୋଗୀ ଆରୋଗ୍ୟ ହେବା ପରେ ତାହାର ରକ୍ତରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ଅନ୍ୟ କରୋନା ପୀଡି଼ତଙ୍କ ଠାରେ ଛଡ଼ାଯାଇଥାଏ। ସାଧାରଣତଃ ବାହ୍ୟ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ଶରୀରରେ ଆଣ୍ଟିବଡି ବା ସଂକ୍ରମଣ ପ୍ରତିରୋଧକ ସୃଷ୍ଟି ହୋଇଥାଏ।

photo-artoffacialrejuvenation.com

ଏହି ଆଣ୍ଟିବଡି ରକ୍ତରେ ବିଶେଷ କରି ପ୍ଲାଜ୍‌ମା ଭାବରେ ବର୍ଷ ବର୍ଷ ଧରି ରହିଥାଏ। ଯାହା ଶରୀରରେ ଯେତେ ଅଧିକ ପ୍ଲାଜ୍‌ମା ରହିଥିବ ତାହାର ସଂକ୍ରମଣ ବିରୋଧୀ କ୍ଷମତା ସେତେ ଅଧିକ। ସୁତରାଂ ଜଣେ ସମ୍ପୂର୍ଣ ଆରୋଗ୍ୟ କୋଭିଡ୍ ରୋଗୀର ପ୍ଲାଜ୍‌ମା ହିଁ କରୋନା ସଂକ୍ରମଣକୁ ସଫଳ ଭାବେ ପ୍ରତିରୋଧ କରିପାରିଛି। ତେଣୁ ତାହାର ପ୍ଲାଜ୍‌ମାକୁ ନେଇ ଅନ୍ୟ କରୋନା ପୀଡି଼ତ ଠାରେ ଉପଯୋଗ କରାଗଲେ ନିଶ୍ଚିତ ଭାବେ ଫଳପ୍ରଦ ହେବ ବୋଲି ଆଇସିଏମ୍ଆର୍ ନୈଦାନିକ ପରୀକ୍ଷଣରେ ତେଲେଙ୍ଗାନାର ୫ ଜଣ କୋଭିଡ୍ ରୋଗୀଙ୍କୁ ସାମିଲ କରିଛି। ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କ ରକ୍ତରେ ଅମ୍ଳଜାନ ପରିମାଣ ୮୪ ପ୍ରତିଶତରୁ ଖସିବା ପରେ ପୂର୍ବରୁ ଅନ୍ୟ ୫ ଜଣ ସୁସ୍ଥ ରୋଗୀଙ୍କ ଠାରୁ ସଂଗୃହୀତ ପ୍ଲାଜ୍‌ମାକୁ ପ୍ରବେଶ କରାଯାଇଛି। ପ୍ରତ୍ୟେକଙ୍କ ଠାରେ ଦୁଇଟି ମାତ୍ରାରେ ପ୍ଲାଜ୍‌ମା ଯୋଗାଇ ଦିଆଯାଇଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ତିନି ଜଣ ଆଉ ଶ୍ବାସକ୍ରିୟାରେ ବାହ୍ୟ ଅମ୍ଳଜାନ ଉପରେ ନିର୍ଭର କରୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର