ନୂଆଦିଲ୍ଲୀ: ପରିବେଶକୁ ବଞ୍ଚାଇବା ପାଇଁ ସିକ୍କିମର ପର୍ଯ୍ୟଟନ ବୋର୍ଡର ବଡ଼ ପଦକ୍ଷେପ। ୨୦୨୨ରୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପରେ ଲାଗିବ ରୋକ। ସୂଚନା ଅନୁଯାୟୀ, ଏଥିରେ ପ୍ଲାଷ୍ଟିକ୍ ପାଣି ବୋତଲ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରାକୃତିକ ସମ୍ପଦରେ ଭରପୂର ହିମାଳୟ ରାଜ୍ୟ, ଯାହା ମଧୁର ଏବଂ ଉତ୍ତମ ଗୁଣାତ୍ମକ ପାନୀୟ ଜଳ ଯୋଗାଇଥାଏ, ଏବେ ଏହାକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଏହି ନିଷେଧାଦେଶ ସାରା ରାଜ୍ୟରେ ଲାଗୁ ହେବ। ଗଣମାଧ୍ୟମକୁ ସୂଚନା ଦେବାବେଳେ ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ମାର୍କସ ପି ରାୟ କହିଛନ୍ତି ଯେ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ନକରିବାକୁ ବିମାନ ସେବା ତଥା ଅନ୍ୟାନ୍ୟ ପରିବହନ ସେବା ପ୍ରଦାନକାରୀଙ୍କୁ କୁହାଯାଇଛି। ପ୍ଲାଷ୍ଟିକ ପାଇଁ ପରିବେଶ ଅନୁକୂଳ ତଥା ଜୈବିକ ବିକଳ୍ପ ଯୋଗାଇବାକୁ ରାଜ୍ୟ ଚେଷ୍ଟା କରିବ। ଆମେ ଗ୍ରାମବାସୀଙ୍କୁ ବାଉଁଶ ଏବଂ ଅନ୍ୟାନ୍ୟ ଜୈବ ଡିଗ୍ରେଡେବଲ୍ ସାମଗ୍ରୀରୁ ବୋତଲ ତିଆରି କରିବାକୁ ଉତ୍ସାହିତ କରୁଛୁ। କେବଳ ବିମାନ ସେବା ନୁହେଁ, ଘରେ ମଧ୍ୟ ଏହି ନିଷେଧାଦେଶକୁ କଡାକଡି ପାଳନ କରିବାକୁ କୁହାଯାଇଛି।