ବଳିଆର ହେଲା ପ୍ଲାଷ୍ଟିକ୍‌ ସର୍ଜରି

ନୂଆଦିଲ୍ଲୀ : ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାରର ୧୦ ଦିନ ପରେ ଗତକାଲି ସକାଳ ସାଢ଼େ ୫ଟାରେ ସ୍ୱତନ୍ତ୍ର ଆଇସିୟୁରେ ଚିକିତ୍ସିତ ହେଉଥିବା ବଳିଆ ହଠାତ୍‌ ହାତଗୋଡ଼ ହଲାଇଥିଲା। ଏହା ଦେଖି ନିରୀକ୍ଷଣ କରୁଥିବା ଡାକ୍ତରୀ ଦଳ ଆଶ୍ୱସ୍ତ ହେବା ସହ ବଳିଆର ତୃତୀୟ ପର୍ଯ୍ୟାୟ ଚର୍ମ ପ୍ରତିରୋପଣ ପାଇଁ ତ୍ୱରିତ ନିଷ୍ପତ୍ତି ନେଇଥିଲେ। ସବୁକିଛି ମାପକାଠି ସନ୍ତୋଷଜନକ ଥିବା ଜାଣି ପ୍ଲାଷ୍ଟିକ ସର୍ଜରି ପାଇଁ ଅସ୍ତ୍ରୋପଚାର ଗୃହକୁ ନିଆଯାଇଥିଲା। ଏହି ମାଇନର ଅସ୍ତ୍ରୋପଚାରେ ଏମ୍‌ସର ଚର୍ମର୍ ଓ ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ଡା. ମନୀଶ ସିଂଘଲ, ସ୍ନାୟୁ ନିଶ୍ଚେତକ ବିଭାଗ ପ୍ରଫେସର ଡା. ଗିରିଜା ରଥ, ଡା. ଶଶାଙ୍କ ଓ ଡା. ରାଜା ତିଓ୍ଵାରି। ଗତକାଲି ଏହି ଅପରେସନ କରାଯିବା ପରେ ବଳିଆର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ଉଲ୍ଲେଖ ଥାଉ କି, ଦ୍ୱିତୀୟ ପଯ୍ୟାୟ ଅସ୍ତ୍ରୋପଚାରରେ ଯୋଡ଼ାମୁଣ୍ଡ ଅଲଗା କରାଯିବା ପରେ ଜଗା ଓ ବଳିଆଙ୍କ ପ୍ଲାଷ୍ଟିକ ସର୍ଜରି କରାଯାଇଥିଲା। ବଳିଆର ମସ୍ତିଷ୍କକୁ ଆଚ୍ଛାଦିତ କରିବା ପାଇଁ ତା’ ଜଙ୍ଘ ଓ ଆଣ୍ଠୁର ଚର୍ମ ପ୍ରତ୍ୟାରୋପଣ କରିବାକୁ ପଡ଼ିଥିଲା। ତେବେ ଆବଶ୍ୟକ ଚମଡ଼ାର ଅଭାବ ଥିବାରୁ ତାହା ଅସମ୍ପୂର୍ଣ୍ଣ ଥିଲା। ତାହାକୁ ଡାକ୍ତରୀଦଳ ଗତକାଲି ସଜାଡ଼ିଥିଲେ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ସମୟରେ ଜଗା ଓ ବଳିଆଙ୍କ ଖପୁରି ହାଡ଼ଗୁଡ଼ିକୁ ବୋନ୍‌ ବ୍ୟାଙ୍କରେ ସୁରକ୍ଷିତ ରଖାଯାଇଛି। ବର୍ଷେ କିମ୍ବା ଦୁଇ ବର୍ଷ ଭିତରେ ଦୁଇ ଭାଇ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କଲେ ବୋନ୍‌ ବ୍ୟାଙ୍କରୁ ଉକ୍ତ ସଂରକ୍ଷିତ ଖପୁରି ହାଡ଼କୁ ଯୋଡ଼ି ଦିଆଯିବ।

ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାରରେ ସଂପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ଦୁଇ ମାସ ସମୟ ଲାଗିବ ବୋଲି ଡାକ୍ତରୀ ଦଳ ଆଶା ପ୍ରକାଶ କରିଛନ୍ତି। ତେବେ ବଳିଆ ଆଇସିୟୁରୁ ବାହାରିବା ପରେ ହିଁ ଦୁଇଜଣଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ପର୍କିତ ସ୍ପଷ୍ଟ ଚିତ୍ର ମିଳିବ।

ଅପରପକ୍ଷେ, ଗତ ଦୁଇ ଦିନ ହେଲା ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତର ହୋଇଥିବା ଜଗାର ସ୍ୱାସ୍ଥ୍ୟାବସ୍ଥାରେ ସନ୍ତୋଷଜନକ ପ୍ରଗତି ହେଉଛି। ତା’ ଶଯ୍ୟା ନିକଟରେ ମାତାପିତା ନିୟମିତ ବ୍ୟବଧାନରେ ଉପସ୍ଥିତ ରହୁଛନ୍ତି। ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହି ଦୁଇ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କ ମାତାପିତାଙ୍କୁ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର