ଦେଶର ୧୦୦ରୁ ଅଧିକ ରେଳ ଷ୍ଟେସନରେ ଦୁଇଗୁଣ ହୋଇପାରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ

ନୂଆଦିଲ୍ଲୀ: ଦେଶର ୧୦୦ ରୁ ଅଧିକ ରେଳ ଷ୍ଟେସନରେ ୟୁଜର୍ ଡେଭଲପମେଣ୍ଟ ଫି ସ୍କିମ୍ କାର୍ଯ୍ୟକାରୀ କରିବାକୁ ଭାରତୀୟ ରେଳ ପ୍ରସ୍ତୁତ ହେଉଛି। ଏହା ଅଧୀନରେ, ଏହି ଷ୍ଟେସନରେ ଆସୁଥିବା ଉପଭୋକ୍ତାଙ୍କ ଠାରୁ ୟୁଜର୍ ଚାର୍ଜ ନିଆଯିବ | ବାସ୍ତବରେ, ରେଳବାଇ ଚଳିତବର୍ଷ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୨୧ ଷ୍ଟେସନରେ ୟୁଡିଏଫ(ୟୁଜର୍ ଡେଭଲପମେଣ୍ଟ ଫି) କାର୍ଯ୍ୟକାରୀ କରିବ | ଅଧିକାଂଶ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ ଟଙ୍କା ଥିବାବେଳେ ୟୁଡିଏଫ ଲାଗୁହେଲେ ଏହାର ମୂଲ୍ୟ ୨୦ ଟଙ୍କାକୁ ବୃଦ୍ଧି କରାଯିବ | ଅର୍ଥାତ୍ ଲୋକମାନେ ଷ୍ଟେସନ ଭିତରକୁ ଆସିଲେ ପ୍ଲାଟଫର୍ମ ଟିକେଟ ବାବଦକୁ ଦୁଇଗୁଣ ଅଧିକ ଅର୍ଥ ଦେବାକୁ ପଡିବ |

କେବଳ ଏତିକି ନୁହେଁ ୧୨୧ ଷ୍ଟେସନରେ କେବଳ ପ୍ଲାଟଫର୍ମ ଟିକେଟ ବୃଦ୍ଧି କରାଯିବ ନାହିଁ ବରଂ ଏହି ଷ୍ଟେସନରେ ଟ୍ରେନରେ ଚଢ଼ୁଥିବା ଯାତ୍ରୀଙ୍କ ଭଡା ମଧ୍ୟ ବୃଦ୍ଧି କରାଯାଇପାରେ | ସୂଚନା ଥାଉ କି ଯାତ୍ରୀଙ୍କୁ ଅଧିକ ସୁବିଧା ଦେବାକୁ ଉପଭୋକ୍ତା ଚାର୍ଜ ଆଦାୟ କରାଯାଏ | ବର୍ତ୍ତମାନ ଏହା କେବଳ ବିମାନବନ୍ଦରରେ ଆଦାୟ କରାଯାଉଛି |

ବିମାନ ବନ୍ଦରରେ ଆଦାୟ କରାଯାଉଥିବା ଏହି ଚାର୍ଜକୁ ବିମାନ ଟିକେଟ୍ ସହିତ ଯୋଡା ଯାଇଥାଏ | ଅର୍ଥାତ୍ ଆପଣ ବିମାନ ଟିକେଟ୍ ପାଇଁ ଯେଉଁ ମୂଲ୍ୟ ଦେଇଥାନ୍ତି ସେଥିରେ ଉପଭୋକ୍ତା ଚାର୍ଜ ଅନ୍ତର୍ଭୁକ୍ତ ହୋଇ ରହିଥାଏ | ଆଉ ଭାରତୀୟ ରେଳ ଏହି ପନ୍ଥା ଆପଣାଇବାକୁ ଯାଉଛି | ଏହା ପୂର୍ବରୁ ଭାରତୀୟ ରେଳ ଚେୟାରମ୍ୟାନ୍ ଭି.କେ ଯାଦବ କହିଥିଲେ ଯେ ଯେଉଁ ରେଳ ଷ୍ଟେସନରେ ଅଧିକ ଭିଡ଼ ରହୁଛି ସେହି ଷ୍ଟେସନରେ ସାମାନ୍ୟ ଉପଭୋକ୍ତା ଚାର୍ଜ ଆଦାୟ କରାଯିବ। ଏହି ସ୍ଥାନଗୁଡିକରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇବାର ଆବଶ୍ୟକତା ଅଛି |

ସମ୍ବନ୍ଧିତ ଖବର