ଷ୍ଟେସନରେ ଭିଡ କମାଇବାକୁ ରେଳବାଇର ପଦକ୍ଷେପ, ବଢ଼ିଲା ପ୍ଲାଟଫର୍ମ ଟିକେଟର ମୂଲ୍ୟ!

ନୂଆଦିଲ୍ଲୀ: ଭାରତରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବୋଧହୁଏ ଅନ୍ୟ ଦେଶ ତୁଳନାରେ ସର୍ବାଧିକ | ଆଉ ପର୍ବପର୍ବାଣି ଓ ଛୁଟିଦିନ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ଆହୁରି ବଢ଼ିଯାଇଥାଏ | ଦଶହରା ଏବଂ ଦୀପାବଳି ପାଖେଇ ଆସିଥିବାରୁ, ଲୋକମାନେ ନିଜ ଘରକୁ ମୁଖ୍ୟତଃ ଟ୍ରେନରେ ଯାଇଥାନ୍ତି | ତେବେ ଯଦି ଆପଣ କୌଣସି ସମ୍ପର୍କୀୟଙ୍କୁ ଷ୍ଟେସନ ଛାଡିବାକୁ ଯାଉଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ସହାୟକ ହେବ | କାରଣ ବର୍ତ୍ତମାନ ପ୍ଲାଟଫର୍ମ ଟିକେଟ ପାଇଁ ଆପଣଙ୍କୁ ୧୦ ଟଙ୍କା ନୁହେଁ ଏହାର ତିନିଗୁଣ ଅର୍ଥାତ ୩୦ ଟଙ୍କା ଦେବାକୁ ପଡିବ | ରେଳବାଇ ପକ୍ଷରୁ କୁହାଯାଇଛି ଯେ ଷ୍ଟେସନରେ ଯେଭଳି ଅଯଥା ଭିଡ ନ ହେବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି |

କାରଣ ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ କୌଣସି ସମ୍ପର୍କୀୟ ବା ସାଙ୍ଗକୁ ଛାଡିବାକୁ ଅଧିକ ଲୋକ ଆସି ଭିଡ କରିଥାନ୍ତି | ଆଉ ଏହାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି | ଏହି ନୂତନ ଦର ଆଜି ଠାରୁ କାର୍ଯ୍ୟକାରୀ ହୋଇଛି | କିନ୍ତୁ ବଡ଼କଥା ଯେ ପ୍ଲାଟଫର୍ମ ଟିକେଟର ବର୍ଦ୍ଧିତ ମୂଲ୍ୟ ଉତ୍ତରପ୍ରଦେଶର ୧୩ଟି ବଡ ଷ୍ଟେସନରେ ଲାଗୁ ହୋଇଛି | ଏଥିମଧ୍ୟରେ ବାରାଣାସୀ, ଅଯୋଧ୍ୟା, ଜୌନପୁର ପ୍ରମୁଖ ରହିଛି | ଅନ୍ୟପଟେ ରେଳ କର୍ମଚାରୀଙ୍କୁ ସରକାର ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନିଆ ବୋନସ ଅନୁମୋଦନ କରିଛି।

ଏହାଦ୍ୱାରା ପ୍ରାୟ ୧୧ ଲକ୍ଷ କର୍ମଚାରୀ ଉପକୃତ ହେବେ। ଅର୍ଥାତ୍ ଦୀପାବଳି ପୂର୍ବରୁ ବୋନସ୍ ରାଶି ୧୧ ଲକ୍ଷ ରେଳ କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ | ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରାୟ ୧୧.୫୬ ଲକ୍ଷ ଅଣ ଗ୍ୟାଜେଟ୍ କର୍ମଚାରୀ ଉପକୃତ ହେବେ। ସରକାରଙ୍କ ଏହି ନିଷ୍ପତ୍ତି ପରେ ରେଳବାଇକୁ ୨୦୦୦ କୋଟିର ଅତିରିକ୍ତ ବୋଝ ପଡିବ |

ସମ୍ବନ୍ଧିତ ଖବର