ମୁମ୍ବାଇ: ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ଏବେ ତୀବ୍ର ରୂପ ନେବା ଆରମ୍ଭ କରିଛି। ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ଏବେ ଟ୍ବିଟ କରି କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଆସନ୍ତାକାଲି ମସଜିଦ ବାହାରେ ଲାଉଡସ୍ପିକରରେ ଆଜାନ ପଢ଼ାଯାଏ ତେବେ ସେଠାରେ ହନୁମାନ ଚାଳିଶା ପାଠ କରାଯିବ। ଏହାପୂର୍ବରୁ ଔରଙ୍ଗାବାଦରେ କରିଥିବା ଏକ ରାଲିରେ ଉତ୍ତେଜନା ସୃଷ୍ଟି କଲା ଭଳି ଭାଷଣ ପାଇଁ ଏମଏନଏସ ମୁଖ୍ୟ ରାଜ ଠାକ‌ରେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Advertisment

ତେବେ ରାଜ ଠାକରେ କହିଛନ୍ତି ଯେ, ଆସନ୍ତାକାଲି ସେହି ସବୁ ସ୍ଥାନରେ ହନୁମାନ ଚାଳିଶା ପାଠ କରାଯିବ, ଯେଉଁଠାରେ ଲାଉଡସ୍ପିକର ମାଧ୍ୟମରେ ଆଜାନ ପଢ଼ାଯିବ। ଏଭଳି କଲେ ହିଁ ସେମାନେ ଜାଣିପାରିବେ ଯେ ଲାଉଡସ୍ପିକର ପାଇଁ କେତେ ବିରକ୍ତ ଲାଗିଥାଏ। ଏହା ଏକ ସାମାଜିକ ସମସ୍ୟା ଅଟୋ, ଧାର୍ମିକ ନୁହେଁ।

MNS chief Raj Thackeray (PTI Photo) indiatoday

ଲାଉଡସ୍ପିକର ବ୍ୟବହାର ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଦର୍ଶାଇ ରାଜ ଠାକରେ କହିଛନ୍ତି ଯେ, ଧର୍ମ ନାମରେ ଲାଉଡସ୍ପିକର ବ୍ୟବହାର କରାଯାଉଥିବାରୁ ବୃଦ୍ଧ, ଅସୁସ୍ଥ, ଶିଶୁ, ଛାତ୍ର ଇତ୍ୟାଦି ନିଶ୍ଚିତ ଭାବରେ ପ୍ରଭାବିତ ହେଉଛନ୍ତି। ଏହାକୁ ଧ୍ୟାନରେ ରଖି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାର ପାଳନ ହେବା ଜରୁରୀ।

ତେବେ ରାଜ ଠାକରେଙ୍କ ଏଭଳି ଚେତାବନୀ ପ‌ରେ ପୁଲିସ ପକ୍ଷରୁ କୁହାଯାଇଛି ଯେ, ମହାରାଷ୍ଟ୍ରର ସମ୍ପୂର୍ଣ୍ଣ ପୁଲିସ୍ ଫୋର୍ସ ସଜାଗ ରହିଛି ଏବଂ ରାଜ୍ୟରେ ଯେକୌଣସି ପ୍ରକାରର ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ରାଜ୍ୟ ରିଜର୍ଭ ପୁଲିସ ଫୋର୍ସ (ଏସଆରପିଏଫ)ର ୮୭ଟି କମ୍ପାନି ଏବଂ ୩୦,୦୦୦ ହୋମଗାର୍ଡଙ୍କୁ ସାରା ରାଜ୍ୟରେ ନିୟୋଜିତ କରାଯାଇଛି।