ଚେନ୍ନାଇ: ୧୩୬ ଯାତ୍ରୀଙ୍କ ଜୀବନ ବିପଦକୁ ଠେଲି ଗୁରୁତର ତ୍ରୁଟି ଥିବା ସତ୍ତ୍ବେ ଅତ୍ୟନ୍ତ ବିପଜ୍ଜନକ ଭାବେ ଏୟାର ଇଣ୍ଡିଆ ବିମାନ ଆକାଶ ମାର୍ଗରେ ୪ ଘଣ୍ଟା କାଳ ଉଡ଼ିଲା। ଏ କଥା ଯାତ୍ରୀମାନେ ଜାଣିନଥିଲେ। କିନ୍ତୁ ମୁମ୍ବାଇରେ ବିମାନ ଅବତରଣ କରିବା ପରେ ସବୁ ସତକଥା ଜାଣି ଯାତ୍ରୀମାନେ ହତବାକ୍ ହୋଇଯାଇଥିଲେ। ଅଳ୍ପକେ ରକ୍ଷା ପାଇଯାଇଥିବାରୁ ଶାନ୍ତିରେ ନିଃଶ୍ବାସ ମାରିଥିଲେ।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବୋଇଂ ୭୩୭ ବିମାନ ତାମିଲନାଡୁର ତ୍ରିଚି ବିମାନବନ୍ଦରରୁ ଗତକାଲି ବିଳମ୍ବିତ ରାତିରେ ଦୁବାଇ ଅଭିମୁଖେ ଉଡ଼ାଣ କରିବା ସମୟରେ ଏହାର ଦୁଇଟି ଚକା ପାଚେରି ସହିତ ସାଙ୍ଘାତିକ ଭାବେ ପିଟିହୋଇ ଯାଇଥିଲା। ବିମାନଟି ଦୋହଲି ଯାଇଥିଲା। ପାଚେରି ବି ଭାଙ୍ଗି ଚୂର୍ମାର ହୋଇଯାଇଥିଲା। ପିଟିହେବା ବେଳେ ବିମାନର ଗତି ଘଣ୍ଟା ପିଛା ୨୫୦ରୁ ୨୯୦ କିଲୋମିଟର ମଧ୍ୟରେ ଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। କିନ୍ତୁ ପାଇଲଟ୍ କିଛି ନବିଚାରି ଉଡ଼ାଣ ଜାରି ରଖିଥିଲେ। ବିମାନର ଆଭ୍ୟନ୍ତରୀଣ ଭାଗ ସ୍ବାଭାବିକ ଥିବାରୁ ପାଇଲଟ୍ଙ୍କର ଚିନ୍ତା ନଥିଲା। କିନ୍ତୁ ବିମାନର ତଳଭାଗ ଯେ କ୍ଷତିଗ୍ରସ୍ତ ହୋଇଥିଲା ତାହା ପାଇଲଟ୍ଙ୍କୁ ଜଣାନଥିଲା। ତେବେ ଏଟିସି ନିର୍ଦ୍ଦେଶ ପାଇ ପାଇଲଟ୍ ବିମାନକୁ ମୁମ୍ବାଇ ନେଇଯାଇଥିଲେ। ଶୁକ୍ରବାର ସକାଳେ ବିମାନ ମୁମ୍ବାଇରେ ପହଞ୍ଚିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ବେପରୁଆ ମନୋଭାବ ଯୋଗୁ ପାଇଲଟ୍ ଏବଂ ସହ ପାଇଲଟ୍ଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଏୟାର ଇଣ୍ଡିଆ ୯-୬୧୧ ବିମାନର ଦୁଇଟି ଚକା ପାଚେରି ସହ ପିଟିହେବାର ଘଣ୍ଟାଏ ମଧ୍ୟରେ ଏୟାର ଟ୍ରାଫିକ୍ କେଣ୍ଟ୍ରାଲ୍ (ଏଟିସି)ତୁରନ୍ତ ପାଇଲଟ୍ଙ୍କ ସହ ଯୋଗାଯୋଗ କରିଥିଲା। ବିମାନର ଆଭ୍ୟନ୍ତରୀଣ ଅଂଶ ଠିକ୍ ଥିବା ଜାଣିବା ପରେ ଏଟିସି ବିମାନକୁ ଦୁବାଇ ନ ନେଇ ମୁମ୍ବାଇ ନେବାକୁ ନିର୍ଦ୍ଦେଶ ଦେଇଥିଲା। ଫଳରେ ଶୁକ୍ରବାର ସକାଳ ୫.୩୫ରେ ବିମାନ ମୁମ୍ବାଇ ପହଞ୍ଚିଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ନିଶ୍ଚିତ ମୃତ୍ୟୁମୁଖରୁ ସେମାନେ ରକ୍ଷା ପାଇଯାଇଛନ୍ତି। ତେବେ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଅନ୍ୟ ଏକ ବିମାନରେ ସେମାନେ ଦୁବାଇ ଯାତ୍ରା କରିଛନ୍ତି। ଏଭଳି ଘଟଣା ପାଇଁ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
୧୩୬ ଯାତ୍ରୀଙ୍କ ଜୀବନ ସହ ଖେଳ
ପାେଚରିରେ ପିଟିହେଲା ବିମାନ ଚକା, ଦୁବାଇ ପରିବର୍ତ୍ତେ ମୁମ୍ବାଇରେ ଓହ୍ଲାଇଲା
/sambad/media/post_attachments/wp-content/uploads/2018/10/55631-airindiaexpress-miraculousescape-ians.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)