ବ୍ୟକ୍ତିଗତ ତଥ୍ୟ ସହ ଖେଳ ମହଙ୍ଗା ପଡ଼ିବ, ଲାଗିବ ୫୦୦ କୋଟି ଜରିମାନା

ନୂଆଦିଲ୍ଲୀ : ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ସହ ଖେଳ କଂପାନିଗୁଡ଼ିକ ଲାଗି ମହଙ୍ଗା ପଡ଼ିବ। ତଥ୍ୟ ସୁରକ୍ଷା ଲାଗି ସରକାର ଏକ କଠୋର ନିୟମ ଲାଗୁ କରିବାକୁ ଯାଉଛନ୍ତି। ସେଥିରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ କୋଟି ଟଙ୍କା ଜରିମାନା ଲଗାଇବାର ବ୍ୟବସ୍ଥା ରହିଛି। ଆଜି ‘ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ ୨୦୨୨’ର ଚିଠାକୁ ଜାରି କରାଯାଇଛି ଏବଂ ଏହା ଉପରେ ଅଂଶୀଦାରମାନଙ୍କ ମତାମତ ଲୋଡ଼ାଯାଇଛି। ପୂର୍ବରୁ ଦୀର୍ଘ ଚାରି ବର୍ଷ ବିଚାରବିମର୍ଶ କରିବା ପରେ ଯେଉଁ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ୨୦୧୯ ପ୍ରସ୍ତୁତ କରାଯାଇଥିଲା ତାହାକୁ ସରକାର ଅଗଷ୍ଟ ୩ରେ ପ୍ରତ୍ୟାହାର କରିଥିଲେ।

ଭାରତୀୟ ଗ୍ରାହକମାନଙ୍କ ତଥ୍ୟକୁ ଦେଶ ଭିତରେ ରଖିବା ଲାଗି ବ୍ୟବସ୍ଥା କରିବାକୁ ସରକାର କଂପାନିଗୁଡ଼ିକୁ କହିଥିଲେ ଯାହାକୁ ବହୁଦେଶୀୟ କଂପାନିଗୁଡ଼ିକ ବିରୋଧ କରିଥିଲେ। ସେହି କଠୋର ବ୍ୟବସ୍ଥାକୁ ନୂଆ ବିଲ୍‌ରେ ସାମାନ୍ୟ କୋହଳ କରାଯାଇଛି। ସରକାର ବିଭିନ୍ନ ଦିଗକୁ ଅନୁଶୀଳନ କରିବା ପରେ କଂପାନିଗୁଡ଼ିକୁ ଦେଶ ବାହାରେ ତଥ୍ୟ ରଖିବାର ଅନୁମତି ଦେଇପାରନ୍ତି। ତଥ୍ୟ ସଂଗ୍ରହ କରିବା ପୂର୍ବରୁ ବ୍ୟକ୍ତିଙ୍କ ଅନୁମତି ହାସଲ କରିବା ଏବଂ କେଉଁ ଆଧାରରେ ତଥ୍ୟଗୁଡ଼ିକୁ ସଂଗ୍ରହ କରି ତାହାର ପ୍ରକ୍ରିୟାକରଣ କରାଯିବ, ସେହି ସର୍ତ୍ତାବଳିଗୁଡ଼ିକ ବିଷୟରେ ଚିଠା ବିଲ୍‌ରେ ବର୍ଣ୍ଣନା କରାଯାଇଛି। କେଉଁ କାରଣ ଲାଗି ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯାଉଛି ତାହାକୁ ଅତି ସରଳ ଭାଷାରେ ବୁଝାଇବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି। ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସରକାର ଏକ ସ୍ବାଧୀନ ‘ଭାରତୀୟ ତଥ୍ୟ ସୁରକ୍ଷା ବୋର୍ଡ’ ଗଠନ କରିବେ। ସେହି ବୋର୍ଡ ନିୟମ ପାଳନ କରିବାର ବିଭିନ୍ନ ବ୍ୟବସ୍ଥା ନିର୍ଧାରଣ କରିବ ଏବଂ ଜରିମାନା ରାଶି ବିଷୟରେ ଜଣାଇବ।

ସମ୍ବନ୍ଧିତ ଖବର