ନୂଆଦିଲ୍ଲୀ: ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳାଫଳ ଦିନ ନିବେଶକମାନେ କୋଟି କୋଟି ଟଙ୍କା ହରାଇଥିବା ବେଳେ ସେୟାର ମାର୍କେଟ କ୍ରାସ୍‌ ର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାର ଏବଂ ଭାରତୀୟ ନିରାପତ୍ତା ଓ ବିନିମୟ ବୋର୍ଡ (ସେବି)କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାଖଲ କରାଯାଇଛି।

Advertisment

ଆଇନଜୀବୀ ବିଶାଲ ତିଓ୍ଵାରୀଙ୍କ ଦ୍ୱାରା ଦାୟର ପିଟିସନରେ ଜଷ୍ଟିସ ଏଏମ୍‌ ସପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟିର ପରାମର୍ଶକୁ ବିଚାର କରିବା ପାଇଁ ଜାନୁଆରି ୩ ତାରିଖରେ ଦିଆଯାଇଥିବା ଆଦେଶ ଉପରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସରକାର ଏବଂ ସେବିକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି।

ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ କେନ୍ଦ୍ର ଏବଂ ସେବି ବିଶେଷଜ୍ଞ କମିଟିର ପରାମର୍ଶକୁ ଗଠନମୂଳକ ଭାବରେ ବିଚାର କରିବା ଉଚିତ ଏବଂ ନିୟାମକ ଢାଞ୍ଚାକୁ ସୁଦୃଢ଼ କରିବା, ନିବେଶକମାନଙ୍କୁ ସୁରକ୍ଷା ଦେବା ଏବଂ ସିକ୍ୟୁରିଟି ବଜାରର ଶୃଙ୍ଖଳିତ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ କୌଣସି ପଦକ୍ଷେପ ନେବା ଉଚିତ୍‌।

ଆବେଦନରେ କୁହାଯାଇଛି ଯେ ଲୋକସଭା ୨୦୨୪ ଫଳାଫଳକୁ ନେଇ ଏକ୍‌ଜିଟ୍‌ ପୋଲ୍‌ ଘୋଷଣା ପରେ ସେୟାର ବଜାର ଉଚ୍ଚରେ ପହଞ୍ଚିଥିଲା, କିନ୍ତୁ ପ୍ରକୃତ ଫଳାଫଳ ଘୋଷଣା ହେବା ପରେ ବଜାର ଭୁଶୁଡ଼ି ପଡ଼ିଥିଲା।
ସେୟାର ବଜାରରେ ପୁଣି ଅସ୍ଥିରତା ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ୨୦ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଏହା ପୁଣି ନିୟାମକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋର୍ଟଙ୍କ ଏହି ନିର୍ଦ୍ଦେଶ ସତ୍ତ୍ୱେ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ଆବେଦନରେ ଦର୍ଶାଯାଇଛି।

ବିଜେପିର ଚମତ୍କାର ବିଜୟ ନେଇ ଏକଜିଟ୍‌ ପୋଲ୍‌ ପୂର୍ବାନୁମାନ ପରେ ବିଏସ୍‌ଇ ବେଞ୍ଚମାର୍କ ସେନେ୍‌ସକ୍ସ ସୋମବାର ୨,୫୦୭ ପଏଣ୍ଟ ବା ୩.୪% ବୃଦ୍ଧି ପାଇ ୭୬,୪୯୬ର ନୂତନ ବନ୍ଦ ଶୀର୍ଷରେ ପହଞ୍ଚିଥିଲା।