ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ କରିବାକୁ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଆଜି (ସୋମବାର) ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

Advertisment

ଓକିଲ ଏମ.ଏଲ୍‌ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ରାଜ୍ୟରେ ୮ଟି ପର୍ଯ୍ୟାୟ ନିର୍ବାଚନ ନକରିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଲୋଡ଼ାଯାଇଛି। କାରଣ ନିର୍ବାଚନ କମିସନଙ୍କ ଏ ପ୍ରକାର ନିଷ୍ପତ୍ତି ଭାରତୀୟ ସମ୍ବିଧାନର ଧାରା ୧୪ ଏବଂ ଧାରା ୨୧ (ଜୀବନ ଅଧିକାର)କୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୬ରେ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ ନିର୍ବାଚନ କମିସନ। କମିସନଙ୍କ ଘୋଷଣା ଅନୁଯାୟୀ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦଳ ନେତୃତ୍ୱାଧୀନ ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ମତଦାନ ହେବ, ତାମିଲନାଡୁ, କେରଳ ଏବଂ ପୁଡୁଚେରିରେ ମତଦାନ ଏପ୍ରିଲ ୬ରେ ଗୋଟିଏ ପର୍ଯ୍ୟାୟରେ ଏବଂ ଆସାମରେ ତିନିଟି ପର୍ଯ୍ୟାୟରେ ହେବ।

ଏଥିସହ ଆଗତ ଆବେଦନରେ ନିର୍ବାଚନ ପ୍ରଚାରକାଳରେ ଧାର୍ମିକ ସ୍ଲୋଗାନ ପ୍ରଦାନ ଉପରେ ନିଷେଧାଦେଶ ଜାରି କରିବାକୁ ଅନୁରୋଧ କରାଯାଇଛି। କାରଣ ଏହା ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଏବଂ ଜନ ପ୍ରତିନିଧି ଅଧିନିୟମ, ୧୯୫୧ ଅନୁଯାୟୀ ଏକ ଅପରାଧ ବୋଲି ଦର୍ଶାଯାଇଛି।