ଲକ୍ଷ୍ନୌ: ତାଜମହଲର ୨୨ଟି ବନ୍ଦ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦେବାକୁ ଆଗତ ଆବେଦନକୁ ଗୁରୁବାର ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ।
ହିନ୍ଦୁ ଦେବତାଙ୍କ ପ୍ରତିମାର ଉପସ୍ଥିତି ଜାଣିବା ପାଇଁ ତାଜମହଲରେ ବନ୍ଦ ଥିବା ୨୨ଟି ଦ୍ୱାର ଖୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ବାରା ଅନୁସନ୍ଧାନ ଲାଗି ଲକ୍ଷ୍ନୌ ବେଞ୍ଚ ସମ୍ମୁଖରେ ବିଜେପି ଯୁବ ଗଣମାଧ୍ୟମ ପ୍ରଭାରୀ ରଜନୀଶ ସିଂ ଏହି ଜନସ୍ୱାର୍ଥ ସମ୍ବଳିତ (ପିଆଇଏଲ) ଆବେଦନ ଆଗତ କରିଥିଲେ। ଏହି ଆବେଦନରେ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ ଏବଂ ଏଏସଆଇ ଦ୍ୱାରା ଏହାର ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିବାକୁ ଦାବି କରାଯାଇଥିଲା। ଏହି ଆବେଦନରେ କିଛି ଐତିହାସିକ ଏବଂ କିଛି ହିନ୍ଦୁ ସପକ୍ଷବାଦୀଙ୍କ ଦ୍ୱାରା ସେଠାରେ ଏକ ପୁରୁଣା ଶିବ ମନ୍ଦିର ଥିବା ଦାବି କରାଯାଇଥିଲା।
ଗୁରୁବାର ସକାଳେ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ଆରମ୍ଭ କଲାବେଳେ ଆହ୍ଲାବାଦ ହାଇକୋର୍ଟ ହାଇକୋର୍ଟଙ୍କର ଲକ୍ଷ୍ନୌ ବେଞ୍ଚର ଦୁଇଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀମାନଙ୍କ ଉପରେ ନିଜର ଅସେନ୍ତୋଷ ବ୍ୟକ୍ତ କରିଥିଲେ। ତାଜମହଲରେ ବନ୍ଦ ଥିବା ୨୨ଟି କୋଠରି ଖୋଲିବା ଲାଗି ଏକାଧିକ ଜନସ୍ୱାର୍ଥ ମାମଲା ଦାଏର କରିସାରିଲୁଣି ବୋଲି ଆବେଦନକାରୀମାନେ କହିବା ପରେ ଖଣ୍ଡପୀଠ ସେମାନଙ୍କୁ ଭର୍ତ୍ସନା କରି କହିଥିଲେ ଯେ ଏବେ ନ୍ୟାୟାଳୟମାନଙ୍କରେ ଏକାଧିକ ମାମଲା ବିଚାର ଅପେକ୍ଷାରେ ପଡ଼ିଥିବା ବେଳେ ଆପଣମାନେ ଏପରି ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ।

ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ, ‘ଆସନ୍ତାକାଲି ଆପଣମାନେ ଆମ ଚାମ୍ବର୍ ଦେଖିବା ପାଇଁ ଅନୁମତି ମାଗିବେ! ଦୟାକରି ଜନସ୍ୱାର୍ଥ ମାମଲା ବ୍ୟବସ୍ଥାକୁ ଏପରି ବିଦ୍ରୂପ କରନ୍ତୁ ନାହିଁ’।
ଆଗତ ଆବେଦନରେ ଆବେଦନକାରୀ ଉଲ୍ଲେଖ କରିଥିଲେ ଯେ, ତାଜମହଲର ଏହି ବିଶାଳ ସୁଦୃଶ ସାମଧି ବାସ୍ତବରେ ଏକ ପୁରାତନ ଶିବ ମନ୍ଦିର ବୋଲି କେତେକ ଐତିହାସିକ ଓ ହିନ୍ଦୁ ସଙ୍ଗଠନ ଦାବି କରୁଛନ୍ତି। ବନ୍ଦ କୋଠରିଗୁଡ଼ିକୁ ପରୀକ୍ଷା କରି ସେ ସଂକ୍ରାନ୍ତ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରିବା ଲାଗି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସ୍ୱତନ୍ତ୍ର କମିଟି ଗଠନ କରିବା ଲାଗି ଆବେଦନକାରୀ ନିବେଦନ କରଥିଲେ।
ତେବେ, ଶୁଣାଣି କାଳରେ କାହିଁକି ଆବେଦନ କରିଛ ବୋଲି ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ସୁଭାଷ ବିଦ୍ୟାରଥୀ ଆବେଦନକାରୀଙ୍କୁ ପଚାରିଥିଲେ? ଆମେ କି ରାୟ ଦେବୁ ବୋଲି ଆପଣ ଚାହୁଁଛନ୍ତି? ତାଜମହଲ କିଏ ନିର୍ମାଣ କରିଛନ୍ତି? ଆପଣ ଐତିହାସିକ କାରଣ ଆଡ଼କୁ ଯାଆନ୍ତୁ ନାହିଁ। ଅଦାଲତ ‘ମାଣ୍ଡାମସ୍ ରିଟ୍’ ଜାରି କରନ୍ତୁ ବୋଲି ଆବେଦନକାରୀ ଚାହୁଁଥିବା କଥା ଜାଣିବା ପରେ ଖଣ୍ଡପୀଠ କହିଥିଲେ ଯେ, ଅଧିକାର କ୍ଷୁଣ୍ଣ ହେବା କ୍ଷେତ୍ରରେ କେବଳ ଅଦାଲତ ଏହା ଜାରି କରିପାରିବେ। ଏ କ୍ଷେତ୍ରରେ ଆପଣଙ୍କର କି ଅଧିକାର କ୍ଷୁଣ୍ଣ ହୋଇଛି?
ନିରାପତ୍ତା କାରଣରୁ କାହିଁକି ତାଜମହଲର ଅନେକ କୋଠରି ବନ୍ଦ ରହିଛି ତାହା ଦେଶର ନାଗରିକମାନେ ଜାଣିବା ଉଚିତ ବୋଲି ଆବେଦନକାରୀ ଯେତେବେଳେ କହିଥିଲେ; ପ୍ରତ୍ୟୁତ୍ତରରେ ଖଣ୍ଡପୀଠ କହିଥିଲେ, ସୂଚନା ପାଇଁ ପଚାରିବାକୁ ଆପଣ କିଏ? ନିରାପତ୍ତା ଦୃଷ୍ଟିରୁ କୋଠରି ସବୁ ବନ୍ଦ କରାଯାଇଥିବା କଥା ଆପଣଙ୍କର ହୃଦବୋଧ ହେଉ ନ ଥିଲେ, ତାହାକୁ ଚାଲେଞ୍ଜ୍ କରିବା ଲାଗି ବିହିତ ପ୍ରତିକାର କରନ୍ତୁ। ପ୍ରଥମେ କିଛି ଗବେଷଣା କରନ୍ତୁ। ସ୍ନାତକତ୍ତୋର କରନ୍ତୁ, ପିଏଚ୍ଡି କରନ୍ତୁ। ଜନସ୍ୱାର୍ଥ ମାମଲା ବ୍ୟବସ୍ଥା ପ୍ରତି ବିଦ୍ରୂପ କରନ୍ତୁ ନାହିଁ ବୋଲି କହି ଆଗତ ମାମଲାକୁ ଖାରଜ କରିଥିଲେ।