ଦୟାକରି ମହାନ୍‌ ଆତ୍ମାଙ୍କୁ ଅପମାନ ଦିଅନାହିଁ: କଂଗ୍ରେସକୁ କହିଲେ କିରେନ୍‌ ରିଜିଜୁ

ନୂଆଦିଲ୍ଲୀ: ମହାନ୍‌ ଆତ୍ମାଙ୍କୁ ଅପମାନ ଦିଆଯିବା ଅନୁଚିତ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ ବୀର ସାବରକର୍‌ଙ୍କ ଉପରେ କଂଗ୍ରେସ ପୋଷ୍ଟ୍‌ କରିଥିବା ଟୁଇଟ୍‌କୁ ପ୍ରସଙ୍ଗ କରି କହିଛନ୍ତି।

ରବିବାର ସନ୍ଧ୍ୟା ବେଳେ ହିନ୍ଦୀ ଭାଷାରେ ଟୁଇଟ୍‌ କରି କିରେନ୍‌ ରିଜିଜୁ ‌କହିଛନ୍ତି: ହାତଯୋଡ଼ି ନିବେଦନ କରୁଛି। ଅନୁଗ୍ରହ କରି ମହାନ୍‌ ଆତ୍ମା ବୀର ସାବରକର୍‌ଙ୍କୁ ଅପମାନ ଦିଅନ୍ତୁ ନାହିଁ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କଂଗ୍ରେସ ପୋଷ୍ଟ୍‌ କରିଥିବା ଟୁଇଟ୍‌ର ପ୍ରତ୍ୟୁତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି। ରାହୁଲ୍‌ ଗାନ୍ଧୀଙ୍କ ଫଟୋ ପୋଷ୍ଟ୍‌ କରି ଉକ୍ତ ଟୁଇଟ୍‌ ପୋଷ୍ଟ୍‌ରେ କଂଗ୍ରେସ ଲେଖିଥିଲା: ଏହାଙ୍କୁ ସାବର୍‌କର୍‌ ମନେକରୁଛନ୍ତି କି…ଏ ହେଉଛନ୍ତି ରାହୁଲ୍‌ ଗାନ୍ଧୀ।

Image Courtesy of ANI

ସୂଚନାଯୋଗ୍ୟ, ଇଂଲଣ୍ଡ୍‌ରେ ଭାରତୀୟ ଗଣତନ୍ତ୍ର ସଂକ୍ରାନ୍ତରେ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ମନ୍ତବ୍ୟ ଯୋଗୁଁ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟରେ ମତଭେଦ କ୍ରମଶଃ ତୀବ୍ରତର ହେଉଛି।

ଦେଇଥିବା ମନ୍ତବ୍ୟ ପାଇଁ ରାହୁଲ୍‌ ଗାନ୍ଧୀ କ୍ଷମାଭିକ୍ଷା କରିବା ଉଚିତ ବୋଲି ‘ବିଜେପି’ ଦାବି କରୁଛି। ସ୍ମରଣଯୋଗ୍ୟ, ବ୍ରିଟିସ୍‌ ସରକାରଙ୍କ ନିକଟରେ ‘ମର୍ସି ପିଟିସନ୍‌’ ଆଗତ କରିଥିବା କାରଣରୁ ସେତେବେଳେ ସାବର୍‌କରଙ୍କୁ କଂଗ୍ରେସ ନିନ୍ଦା କରିଥିଲା। ସେହି ପ୍ରସଙ୍ଗକୁ ଭିତ୍ତି କରି କଂଗ୍ରେସ ରାହୁଲ୍‌ ଗାନ୍ଧୀଙ୍କ ଫଟୋ ଦେଇ ଉକ୍ତ ଟୁଇଟ୍‌ ପୋଷ୍ଟ୍‌ କରିଛି।

‘ବିଜେପି’ ଅଭିଯୋଗ କରିଛି ଯେ, ରାହୁଲ୍‌ ଗାନ୍ଧୀ ବିଦ୍ରୋହୀ ଓ ମାଓବାଦୀ ତତ୍ତ୍ବଦ୍ବାରା ପ୍ରଭାବିତ ହୋଇଛନ୍ତି। ଇଂଲଣ୍ଡ୍‌ରେ ଭାରତ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଲାଗି ପୂର୍ବରୁ ମଧ୍ୟ କିରେନ୍‌ ରିଜିଜୁ ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ଦେଶର ଅସମ୍ମାନ ପ୍ରତି ନାଗରିକମାନ‌େ ଚୁପ୍‌ ରହିବେ ନାହିଁ।

ସମ୍ବନ୍ଧିତ ଖବର