ପୁଣି ଆରମ୍ଭ ହେଲା ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା: କେବେ ଚେତିବେ?

ହାଇକୋର୍ଟ କଥା ଶୁଣୁ ନାହାନ୍ତି ଯୋଗୀ
କେସିଆରଙ୍କୁ ଚେତାବନୀ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ : ଦେଶରେ ଏବେ କରୋନାର ଯେଉଁ ଭୟଙ୍କର ରୂପ ଦେଖିବାକୁ ମିଳିଛି ଏଥିପାଇଁ ସାଧାରଣ ଲୋକ (ଅମାନିଆ) ଯେତେ ଦାୟୀ, ସରକାର ମଧ୍ୟ ସେହି ପରିମାଣର ଦାୟୀ। କରୋନା ପ୍ରକୋପ କମିବା ପରେ ଲୋକଙ୍କ ମଧ୍ୟରେ ଢିଲାପଣ ଦେଖିବାକୁ ମିଳିଲା। ଫଳରେ କରୋନା ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ୫ଟି ରାଜ୍ୟରେ ନିର୍ବାଚନ ପ୍ରଚାର ଏବଂ ବିଭିନ୍ନ ସ୍ଥାନରେ ଧାର୍ମିକ କାର୍ଯ୍ୟକଳାପ କରୋନା ନିଆଁ‌ରେ ଘିଅ ଢାଳିବା ଭଳି କାମ କଲା। କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର ଆରମ୍ଭରୁ କରୋନା ଧାରାକୁ ଗରୁତ୍ବ ନଦେବାରୁ ଏବେ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି। କରୋନା ନିଆଁ ଏବେ ପ୍ରଚଣ୍ଡ ତୀବ୍ରତା ସହିତ ଦ୍ରୁତ ଗତିରେ ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ପଞ୍ଜାବ, ହରିଆଣା, ଗୁଜରାଟ ସମେତ ୧୨ଟି ରାଜ୍ୟ।

ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବା ବେଳେ କିଛି ରାଜ୍ୟ ବିଶେଷ ତତ୍ପରତା ପ୍ରକାଶ କରୁନଥିବାରୁ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଉତ୍ତର ପ୍ରଦେଶରେ ପରିସ୍ଥିତି ଭୟଙ୍କର ହେଉଛି,କିନ୍ତୁ ଏହାର ମୁକାବିଲାରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ କରୋନା ଭୟାବହତା ଦୃଷ୍ଟିରୁ ୫ଟି ସହରରେ ଲକ୍ ଡାଉନ୍ ଘୋଷଣା କରାଯାଉ ଏବଂ ସାରା ରାଜ୍ୟରେ ସ୍କୁଲ ବନ୍ଦ କରାଯାଉ। ଏହି ସହରଗୁଡ଼ିକ ‌ହେଲା ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣାସୀ, କାନପୁର ଏବଂ ‌ଗୋରଖପୁର। କିନ୍ତୁ ହାଇକୋର୍ଟର ଏହି ଆଦେଶ ମାନିବାକୁ ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର। ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ସରକାର କଠୋର କଟକଣା ଜାରି କରିବେ, କିନ୍ତୁ ଲକ୍ ଡାଉନ୍ ଘୋଷଣା କରିବାର ପ୍ରଶ୍ନ ଉଠୁନାହିଁ। ମହାରାଷ୍ଟ୍ର ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉତ୍ତର ପ୍ରଦେଶ ସରକାରଙ୍କର ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚାର୍ଯ୍ୟ କରିଛି। ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୩୦ ହଜାର ଟପିଥିବା ବେଳେ ଶହେରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି।

ସେହିଭଳି ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେସିଆର (କେ. ଚନ୍ଦ୍ରଶେଖର ରାଓ) ସରକାରଙ୍କ କରୋନା ମୁକାବିଲା ପଦକ୍ଷେପକୁ ନେଇ ସେଠାର ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ସରକାର ତୁରନ୍ତ ଲକ୍ ଡାଉନ୍ କିମ୍ବା କର୍ଫ୍ୟୁ ଘୋଷଣା କରନ୍ତୁ ବୋଲି ହାଇକୋର୍ଟ କହିଛନ୍ତି। ଏଥିପାଇଁ ସରକାରଙ୍କୁ ୪୮ ଘଣ୍ଟାର ସମୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ରାଜ୍ୟରେ‌ କରୋନାରେ ବହୁସଂଖ୍ୟକ ଲୋକ ସଂକ୍ରମିତ ହେଉଥିବା ବେଳେ ସରକାର କମ୍ ସଂଖ୍ୟା ଦେଖାଉଛନ୍ତି। ହାଇଦ୍ରାବାଦ ଏବେ ହଟସ୍ପଟ୍ ହେବାକୁ ଗଲାଣି। କିନ୍ତୁ ସରକାର କଠୋର ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟରେ ଏବେ ୪୦୦ରୁ ଅଧିକ ଦୈନିକ ସଂକ୍ରମଣ ହେଉଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ଉଭୟ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବେ କରୋନା ଆକ୍ରାନ୍ତ।

କରୋନା ଯୋଗୁଁ ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ କଟକଣା ଜାରି ରହିଥିବା ବେଳେ ଦିଲ୍ଲୀ ସରକାର ଆଜି ଜାତୀୟ ରାଜଧାନୀରେ ୬ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ଆଜି ୬୮ ହଜାର ଟପିଥିବା ବେଳେ ୟୁପିରେ ୩୦ ହଜାର ଏବଂ ଦିଲ୍ଲୀରେ ୨୫ ହଜାର ଟପିଛି। ଦେଶରେ ଆଜି ୨ଲକ୍ଷ ୭୩ ହଜାର ଲୋକ ସଂକ୍ରମଇତ ହୋଇଥିବା ବେଳେ ୧୬୨୯ ଜଣ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ରାଜସ୍ଥାନରେ ମଧ୍ୟ ୧୫ ଦିନ ଲାଗି ଲକ୍ ଡାଉନ୍ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର