ନୂଆଦିଲ୍ଲୀ: ଏକ ବିରଳ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ତଥା ଉପାର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ବି କେ ହରିପ୍ରସାଦଙ୍କ ସଂପର୍କରେ ଦେଇଥିବା ଏକ ଟିପ୍ପଣୀକୁ ଆଜି ରାଜ୍ୟସଭାର ବିବରଣୀରୁ ବାଦ ଦିଆଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଗତକାଲି (ଗୁରୁବାର) ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ଏନ୍‌ଡିଏ ପକ୍ଷରୁ ଜେଡି (ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଥିବା ବେଳେ ଉପା ପକ୍ଷରୁ ପ୍ରାର୍ଥୀ ହୋଇଥିଲେ କଂଗ୍ରେସ ସାଂସଦ ବି କେ ହରିପ୍ରସାଦ। ଏହି ନିର୍ବାଚନ ଉଭୟ ଏନ୍‌ଡିଏ ଓ ଉପା ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏଥିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା, ବିଜୁ ଜନତା ଦଳ (ବିଜେଡି)। ତେବେ, ଶେଷ ମୁହୂର୍ତ୍ତରେ ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଘୋଷଣା କରିବାରୁ, ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ହରିବଂଶ ନାରାୟଣ ସିଂହ।

publive-image

ରାଜ୍ୟସଭାର ନୂତନ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ହରିବଂଶ ନାରାୟଣ ସିଂହଙ୍କୁ ଅଭିନ୍ଦନ ଜଣାଇବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଗୁରୁବାର ଦିନ କହିଥିଲେ, ‘ସେ (ହରିବଂଶ ନାରାୟଣ ସିଂହ) ସେ ତାଙ୍କ ନିଜ ଯୋଗ୍ୟତା ବଳରେ ଏହି ସଫଳତା ପାଇଛନ୍ତି। ସେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀଙ୍କର ଅତି ପ୍ରିୟ ଥିଲେ....। ବର୍ତ୍ତମାନ ଆମେମାନେ ସମସ୍ତେ ହରିଙ୍କ ଭରସାରେ....’। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ପରାଜିତ ଉପା ପ୍ରାର୍ଥୀ ବି କେ ହରିପ୍ରସାଦଙ୍କ ସଂପର୍କରେ କିଛି ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ତେବେ, ପ୍ରଧାନମନ୍ତ୍ରୀ ମୋଦି ବି କେ ହରିପ୍ରସାଦଙ୍କ ସଂପର୍କରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରି ରାଜ୍ୟସଭାରେ ବିରୋଧ କରିବାରୁ, ପ୍ରଧାନମନ୍ତ୍ରୀ ମୋଦି ହରିପ୍ରସାଦଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ରାଜ୍ୟସଭାର ବିବରଣୀରୁ ବାଦ ଦେବାକୁ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍ଗିଆ ନାଇଡ଼ୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।