ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଏବେ ଲୋକଙ୍କୁ ଅଣନିଶ୍ବାସୀ କରିଦେଲାଣି। ଏହା କିଭଳି ଲୋକଙ୍କ ଜୀବନକୁ ଧୀରେଧୀରେ ଶେଷ କରିବାରେ ଲାଗିଛି ସେ ସମ୍ପର୍କରେ ସତର୍କବାଣୀ ଶୁଣାଇଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ବାୟୁ ପ୍ରଦୂଷଣ ନିରବ ଘାତକ ଏବଂ ଏଥିଯୋଗୁଁ ଦେଶ୍ୟବାପୀ ଅନେକ ଲୋକ ଅକାରଣରେ ମୃତ୍ୟୁର ଶିକାର ହେଉଛନ୍ତି ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ବାୟୁ ପ୍ରଦୂଷଣ ଯୋଗୁ ବିଶ୍ବରେ ୨୦୨୪ରେ ୮.୧ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଛି। କରୋନା ମହାମାରୀ ମୃତ୍ୟୁ ଅପେକ୍ଷା ବାୟୁ ପ୍ରଦୂଷଣଜନିତ ମୃତ୍ୟୁ ଅଧିକ ବୋଲି ସେ କହିଛନ୍ତି। ଲଗାତାର ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ଫୁସ୍ଫୁସ୍ ଏବଂ ହୃତ୍ପିଣ୍ଡ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଅଧିକାଂଶ ଦିନ ଆମେ ବିଷାକ୍ତ ବାୟୁ ଶ୍ବାସରେ ନେଉଛେ ଏବଂ ଏହି ସ୍ଥିତିରେ ଛୋଟ ପିଲା ଏବଂ ବୟସ୍କମାନେ ଅଧିକ ଅସୁରକ୍ଷିତ। ସକାଳ ଏବଂ ସନ୍ଧ୍ୟା ସମୟରେ ବାହାରେ ଖେଳୁଥିବା ପିଲା ସେମାନଙ୍କ ଶ୍ବାସରେ ଅଧିକ ବିଷାକ୍ତ ବାୟୁ ନେଇଥାନ୍ତି। ଏହାଦ୍ବାରା ଦୀର୍ଘ ସମୟ ପାଇଁ ଫୁସଫୁସ୍ ଉପରେ ଏହା ପ୍ରଭାବ ପକାଇପାରେ ବୋଲି ଡାକ୍ତର ଗୁଲେରିଆ ସଚେତନ କରିଛନ୍ତି। ପ୍ରଦୂଷିତ ବାୟୁର ଦୀର୍ଘକାଳୀନ ପ୍ରଭାବ ଉପରେ ଟିପ୍ପଣୀ ଦେଇ ଡାକ୍ତର ଗୁଲେରିଆ କହିଛନ୍ତି, ସଙ୍କଟ ଆଉ ଶ୍ବାସକ୍ରିୟା ଜନିତ ରୋଗ ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ଶରୀରକୁ ପ୍ରଭାବିତ କରୁଛି। ବାୟୁ ପ୍ରଦୂଷଣ ଏବଂ ବିଶେଷ କରି ପିଏମ୍ ୨.୫ ତଥା ‘ଅଲ୍ଟ୍ରା ଫାଇନ୍ ପାର୍ଟିକଲ୍ସ’ ଯାହା ୦.୧ ମାଇକ୍ରନ୍ଠାରୁ ମଧ୍ୟ କ୍ଷୁଦ୍ର କେବଳ ଫୁସ୍ଫୁସ୍ରେ ପହଞ୍ଚୁନାହିଁ ବରଂ ଏହା ରକ୍ତଶିରାରେ ପ୍ରବେଶ କରି ଶରୀରର ସମସ୍ତ ଅଂଶରେ ପହଞ୍ଚୁଛି। ଏହା ହୃଦ୍ଘାତ ଏବଂ ଏପରିକି ଡିମେନ୍ସିଆ, ପାର୍କିନସନ୍ସ ଭଳି ରୋଗର କାରଣ ହେଉଛି ବୋଲି ଡାକ୍ତର ଗୁଲେରିଆ କହିଛନ୍ତି।
୨୦୨୨ରେ ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ ମାନବକୃତ ପିଏମ୍ ୨.୫ ପ୍ରଦୂଷଣ କାରଣରୁ ପ୍ରାଣ ହରାଇଥିବା ଲାନସେଟ୍ ରିପୋର୍ଟରେ କୁହାଯାଇଛି। ୨୦୨୨ରେ ଭାରତରେ ୧୭,୧୮,୦୦୦ ମୃତ୍ୟୁ ପାଇଁ ପିଏମ୍ ୨.୫ ପ୍ରଦୂଷଣକୁ ଦାୟୀ କରାଯାଇଛି। ଆଗକୁ ଏହି ସଙ୍କଟ ଆହୁରି ଜଟିଳ ରୂପ ନେବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/31/untitled-3-2025-10-31-06-37-27.jpg)
