ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ-ଧ୍ରୁବର ଶୁଭାରମ୍ଭ, ସାମିଲ ହେଲେ ୬୦ ପ୍ରତିଭାବାନ ଛାତ୍ରଛାତ୍ରୀ

ବେଙ୍ଗାଲୁରୁ: ବେଙ୍ଗାଲୁରସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପରିସରରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ‘ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ-ଧ୍ରୁବ’ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅସାଧାରଣ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଜୀବନର ମୋଡ଼ ବଦଳାଇଦେବ। ଏହା ମେଧାବୀ ତଥା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ଲାଗି ମଂଚ ଯୋଗାଇ ଦେବ। ବିଜ୍ଞାନ, କଳା, ସୃଜନଶୀଳ ରଚନା ଆଦି ନିଜ ପସନ୍ଦର କ୍ଷେତ୍ରରେ ସେମାନଙ୍କୁ ଉତ୍କର୍ଷ ହାସଲ ଲାଗି ସହାୟତା ମିଳିପାରିବ।

ଏହି ମାର୍ଗରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ଭିତରେ ଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ସହିତ ସାମଗ୍ରିକ ଭାବେ ସମାଜକୁ ଯୋଗଦାନ ଦେଇପାରିବେ। ଇସ୍ରୋର ଅଧ୍ୟକ୍ଷ ଡ.କେ ଶିବନ, ଭାରତର ପ୍ରଥମ ମହାକାଶଚାରୀ ୱିଙ୍ଗ କମାଣ୍ଡର ରାକେଶ ଶର୍ମା, ଅଟଳ ଇନୋଭେସନ ମିଶନର ନିର୍ଦ୍ଦେଶକ ଆର. ରମଣନ ଏହି ଅବସରରେ ଉପସ୍ଥିତ ଥିଲେ।ଧ୍ରୁବ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଚୟନ ହୋଇଥିବା ୬୦ଜଣ ପ୍ରତିଭାବାନ ବିଦ୍ୟାର୍ଥୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟାର୍ଥୀ ମାନେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଡ. ଶିବନ ଓ ରାକେଶ ଶର୍ମାଙ୍କ ଠାରୁ ସେମାନଙ୍କ ଜୀବନ ଅନୁଭୂତି, ସଂଘର୍ଷ ଓ ସଫଳତା ବିଷୟରେ ଜାଣିବାକୁ ପାଇଥିଲେ।

ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଦକ୍ଷତା ଓ ଜ୍ଞାନର ବିକାଶ ଲାଗି ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ଦେଶର ବିଭିନ୍ନ ସ୍ଥାନରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଠାରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କର ମାର୍ଗଦର୍ଶନ କରାଯାଇ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ବିକଶିତ କରିବାରେ ସହାୟତା ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛ।

ସମ୍ବନ୍ଧିତ ଖବର