ଭୁବନେଶ୍ବର : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସମଗ୍ର ଓଡ଼ିଶାରେ ଉତ୍ସବ ପାଳନ କରାଯାଉଛି । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଖବର କିପରି ପାଇଲେ ଦ୍ରୌପଦୀ ? ଏହା ପଛରେ ଏକ ରୋଚକ ଘଟଣା ରହିଛି ।
ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦ୍ରୌପଦୀଙ୍କ ନାମ ଚୟନ କରାଯିବା ପରେ ପରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଫୋନରେ କଥା ହେବାକୁ ଚାହିଁଲେ । ଦ୍ରୌପଦୀ ସେତେବେଳେ ରାଇରଙ୍ଗପୁରସ୍ଥିତ ନିଜ ଘରେ ଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଯେତେବେଳେ ଦ୍ରୌପଦୀଙ୍କ ସହ ଯୋଗାଯୋଗ କରାଗଲା, ନେଟଓ୍ବର୍କ ସମସ୍ୟା ଯୋଗୁଁ ତାଙ୍କ ଫୋନ ଲାଗିଲା ନାହିଁ । ସେପଟେ ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିବାବେଳେ, ଏପଟେ ଫୋନ ଲାଗୁନଥିବାରୁ ପିଏମଓ ଅଧିକାରୀମାନେ ଚିନ୍ତାରେ ପଡ଼ିଗଲେ ।
ତାପରେ ସେମାନେ ପୂର୍ବରୁ ଦ୍ରୌପଦୀଙ୍କ ବ୍ୟକ୍ତିଗତ ସହାୟକ ଥିବା ତଥା ସ୍ଥାନୀୟ ବିଜେପି କର୍ମୀ ବିକାଶ ଚନ୍ଦ୍ର ମହାନ୍ତୋଙ୍କ ସହ ଯୋଗାଯୋଗ କରାଗଲା । ବିକାଶ ସେତେବେଳେ ନିଜ ଦୋକାନରେ ଥିଲେ । ତାଙ୍କୁ ପିଏମଓ ପକ୍ଷରୁ ଫୋନ କରି କୁହାଗଲା, “ ମାଡାମଙ୍କ ସହ ଶୀଘ୍ର କଥାକରାଅ…ପିଏମ କଥା ହେବାକୁ ଚାହୁଁଛନ୍ତି” ।
ବିକାଶ ତୁରନ୍ତ ନିଜ ବାଇକରେ ଦ୍ରୌପଦୀଙ୍କ ଘରକୁ ଗଲେ । ତାଙ୍କ ଘରେ ପହଞ୍ଚୁ ପହଞ୍ଚୁ ଆଉ ଏକ ଫୋନ ଆସିଲା “ ଜଲଦି କଥାବାର୍ତ୍ତା କରାଅ.. ପିଏମ କଥା ହେବାକୁ ଚାହୁଁଛନ୍ତି” ।
ସେତେବେଳେ ଦ୍ରୌପଦୀ ରାତ୍ର ଭୋଜନ କରୁଥିଲେ । ବିକାଶ ତୁରନ୍ତ ତାଙ୍କୁ ନିଜ ମୋବାଇଲ ଫୋନ ଧରାଇଦେଇଥିଲେ । ନିଜେ ପ୍ରଧାନମନ୍ତ୍ରୀ ହିଁ ଫୋନ ଯୋଗେ ଦ୍ରୌପଦୀଙ୍କୁ ବିଜେପି ସଂସଦୀୟ କମିଟିର ନିଷ୍ପତ୍ତି କଥା ଜଣାଇଥିଲେ ।