ଲଦାଖ ସଂଘର୍ଷ ପରେ ଉତ୍ପନ୍ନ ସ୍ଥିତି ସଂପର୍କରେ ଆଲୋଚନା ପାଇଁ ଶୁକ୍ରବାର ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲଦାଖରେ ଭାରତୀୟ ଓ ଚୀନ୍‌ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଯବାନ ପ୍ରାଣ ହରାଇବା ପରେ ଭାରତ- ଚୀନ୍‌ ସୀମାନ୍ତରେ ଉତ୍ତେଜନା ପ୍ରକାଶ ପାଇବା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ପନ୍ନ ସ୍ଥିତି ସଂପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏକ ସର୍ବଦଳୀୟ ଡାକିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ଦିନ ଅପରାହ୍ନ ୫ ଟାରେ ଦେଶର ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଏହି ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ଭାରତ- ଚୀନ୍‌ ସୀମାରେ ଗତ ପ୍ରାୟ ସପ୍ତାହେ ଧରି ଉତ୍ତେଜନା ଲାଗି ରହିବା ପରେ ସୋମବାର ରାତିରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ହାତାହାତି ସଂଘର୍ଷ ଘଟିଥିଲା। ଭାରତୀୟ ସେନାର ଏକ ପାଟ୍ରୋଲିଂ ପାର୍ଟି ଗାଲୱାନ୍‌ ନଦୀ ଉପତ୍ୟକାରେ ୧୫,୦୦୦ ଫୁଟ ଉଚ୍ଚତାରେ ଚୀନ୍‌ ସେନାର ଏକ ତମ୍ବୁ ହଟାଇବାକୁ ଯାଇଥିବା ବେଳେ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ସେନା ଯବାନ ଶହୀଦ ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ ଚୀନ ସେନା ମୃତାହତ ହୋଇଛନ୍ତି ସେ ସଂପର୍କରେ ତଥ୍ୟ ମିଳିପାରି ନାହିଁ। ଅସମର୍ଥିତ ସୂତ୍ରରୁ ଏହି ସଂଖ୍ୟା ୪୫ ହେବ ବୋଲି କୁହାଯାଉଛି।

ଏହି ଘଟଣା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳେ ଏକ ଟୁଇଟ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ତୀବ୍ର ଆକ୍ରମଣ କରିବା ସହ ଏ ଘଟଣାରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍‌ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର