ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଭୟାନକ ଆତ୍ମଘାତୀ ଆକ୍ରମଣ ମାମଲା : ପ୍ରତିଶୋଧ ପାଇଁ ଶପଥ

କ୍ୟାବିନେଟର ଜରୁରୀ ବୈଠକ ଆଜି, ବଳିଦାନ ବ୍ୟର୍ଥ ଯିବନି: ପ୍ରଧାନମନ୍ତ୍ରୀ, ଉଚିତ ଜବାବ ଦିଆଯିବ: ରାଜନାଥ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଭୟାନକ ଆତ୍ମଘାତୀ ଆକ୍ରମଣ କରି ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦ ଭାରତକୁ ଚ୍ୟାଲେଂଜ୍‌ କରିଛି। ଏହି ଭୟାବହ ଆତ୍ମଘାତୀ ଆକ୍ରମଣ ଏବେ ଭାରତକୁ ତା’ର ଆତଙ୍କବାଦ ବିରୋଧୀ ଲଢ଼େଇରେ ବଡ଼ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିବ ବୋଲି କୁହାଯାଉଛି। କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ୍‌ ହେବାପରେ ପରିସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିର ଜରୁରି ବୈଠକ ଡାକିଛନ୍ତି। ସେ କହିଛନ୍ତି ଯେ ଯବାନମାନଙ୍କ ବଳିଦାନ ବେକାର ଯିବନାହିଁ। ଆଜି ଏସଂପର୍କରେ ସେ ରାଜନାଥ ସିଂହ ଓ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭଲଙ୍କ ସହିତ କଥାବାର୍ତା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆକ୍ରମଣ ଉଚିତ ଜବାବ ଦିଆଯିବ। ଆସନ୍ତାକାଲି ସେ କଶ୍ମୀର ଯିବେ। ଏନ୍‌ଆଇଏର ୧୨ ଜଣିଆ ଟିମ୍‌ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଉରି ଆକ୍ରମଣ ପରେ ପାକ୍‌ ଅଧିକୃତ କଶ୍ମୀରରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ କରି ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏହା ସତ୍ତ୍ବେ ପାକିସ୍ତାନ ସୁଧୁରି ନଥିବା ବେଳେ ନିୟନ୍ତ୍ରଣ ରେଖା ଅଂଚଳରେ ଆତଙ୍କବାଦୀଙ୍କୁ ଲଗାତାର ସହାୟତା ଦେଇ ଭାରତ ବିରୋଧରେ ଛାୟା ଯୁଦ୍ଧ ଜାରି ରଖିଛି। ଏହାର ଜବାବ ଦେବା ପାଇଁ ଭାରତ ଏବେ ପ୍ରତିଶୋଧ ନେବାକୁ ତୟାର ହେଉଛି।

କେନ୍ଦ୍ର ସରକାର ଏହି ଆକ୍ରମଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଆସନ୍ତାକାଲି ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଗସ୍ତରେ ଯାଇ ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷାସ୍ଥିତି ସମୀକ୍ଷା କରିବେ ଏବଂ ଆହତ ଯବାନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏ ବାବଦରେ ରାଜନାଥ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ସେନା, ସିଆର୍‌ପିଏଫ୍‌ ଏବଂ ଜମ୍ମୁ କଶ୍ମୀର ପୁଲିସର ବରିଷ୍ଠ ଅଧିକାରୀମାନେ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି।

ରାଜ୍ୟପାଳ ମଲ୍ଲିକ ଏହି ଆକ୍ରମଣକୁ କାପୁରୁଷୋଚିତ ବୋଲି କହିବା ସହ ମୃତାହତ ଯବାନଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକଟ କରିଛନ୍ତି। ସିଆର୍‌ପିଏଫ୍‌ ଡିଜି ଆର୍‌ ଆର୍‌ ଭଟ୍ଟନାଗରଙ୍କ ସହିତ ସୁରକ୍ଷା ସ୍ଥିତି ନେଇ ରାଜ୍ୟପାଳ ଆଲୋଚନା କରିଛନ୍ତି। କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ମୂଳପୋଛ କରିବା ପାଇଁ କେନ୍ଦ୍ର ସରକାର କୂଟନୀତି, ପ୍ରତିରକ୍ଷା ତଥା ଆଭ୍ୟନ୍ତରୀଣ ସୁରକ୍ଷାସ୍ତରରେ ଲଗାତାର ବିଚାରବିମର୍ଶ ଜାରି ରଖିଥିବା ବେଳେ ଆସନ୍ତକାଲି ରାଜନାଥଙ୍କ ବୈଠକ ପରେ କେତେକ କଠୋର ପଦକ୍ଷେପ ସଂପର୍କରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ତାଲିବାନ ଶୈଳୀରେ ଆକ୍ରମଣ

ଶ୍ରୀନଗର : ବିଗତ ୨୦ ବର୍ଷ ମଧ୍ୟରେ ସବୁଠାରୁ ଭୟାନକ ଆତଙ୍କବାଦୀ ଆକ୍ରମଣ କଶ୍ମୀରକୁ ଦୋହଲାଇ ଦେଇଛି। ଆତଙ୍କବାଦୀମାନେ ଅତି ଶକ୍ତିଶାଳୀ ବିସ୍ଫୋରକ ବ୍ୟବହାର କରିଥିବାରୁ ସୁରକ୍ଷା ବାହିନୀର ଚିନ୍ତା ବଢ଼ିଛି। ଆଫ୍‌ଗାନିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆଫ୍‌ଗାନ ସେନା ଉପରେ ବିସ୍ଫୋରକ ବୋଝେଇ ଭ୍ୟାନ୍‌ ଦ୍ବାରା ଯେଭଳି ଆକ୍ରମଣ କରୁଛନ୍ତି ସେହି କୌଶଳରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ହୋଇଛି। ସିଆର୍‌ପିଏଫ୍‌ ଆଇଜି ଜୁଲ୍‌ଫିକର୍‌ ହସନ୍‌ କହିଛନ୍ତି ଯେ ଏହା ଏକ ବହୁତ ବଡ଼ ଯୋଜନାବଦ୍ଧ ଆକ୍ରମଣ ଥିଲା ଏବଂ ସର୍ବାଧିକ କ୍ଷତି ପହଞ୍ଚାଇବାକୁ ଯୋଜନା କରି ଆତ୍ମଘାତୀ ଆକ୍ରମଣ ହୋଇଥିଲା। ପୁଲୱାମା ଅଂଚଳରେ ଜୈସ୍‌ର ୧୦ରୁ ଅଧିକ କମାଣ୍ଡର ଏବଂ ୯୦ରୁ ଅଧିକ ଆତଙ୍କବାଦୀ ବିଗତ ୨ ବର୍ଷ ମଧ୍ୟରେ ନିପାତ ହୋଇଛନ୍ତି। ସୁରକ୍ଷା ବାହିନୀର ଅପରେସନ୍‌ ଅଲ୍‌ ଆଉଟ୍‌ ସଫଳ ହୋଇଥିବାରୁ ଆତଙ୍କବାଦୀମାନେ ଏବେ ସେମାନଙ୍କ ରଣନୀତି ବଦଳାଇଛନ୍ତି। ସେନା ବିରୋଧରେ ଆତ୍ମଘାତୀ ଆକ୍ରମଣ ଆରମ୍ଭ ହୋଇଥିବାରୁ ଏବେ କଶ୍ମୀରରେ ସେନାର ରଣନୀତି ମଧ୍ୟ ବଦଳିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର