କଳିଙ୍ଗା ଘାଟିରେ ବସ ଓଲଟିବା ଘଟଣା : ମୃତକଙ୍କ ପରିବାରକୁ ଟୁଇଟ୍ କରି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଗତକାଲି ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ପଡ଼ିବାରୁ ୬ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ ସୂଚନା ଦେଇଥିଲା। ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଘଟଣା ପରେ ଏବେ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ କରିଛନ୍ତି ଯେ, ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହେତୁ ଲୋକଙ୍କ ଜୀବନ ଯାଇଥିବାରୁ ମୁଁ ବହୁତ ଦୁଃଖିତ। ଏହି ଦୁଃଖଦ ସମୟ ମଧ୍ୟରେ ମୁଁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି ଯେ, ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ କରି ଶୋକ ପ୍ରକାଶ କରିଥିଲେ ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଉକ୍ତ ବସଟି ଦାରିଙ୍ଗବାଡିରେ ପହଞ୍ଚିବା ପରେ ଲୋକେ ସେଠାରେ ବୁଲାବୁଲି କରି ବିଶାଖାପାଟଣା ଅଭିମୁଖେ ବାହାରିଥିଲେ। ତେବେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ଓଲଟି ପଡିଥିଲା।

ସମ୍ବନ୍ଧିତ ଖବର