ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସହାୟତା ପ୍ରଦାନ : କୌଣସି ବ୍ୟକ୍ତି ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେବେନାହିଁ

ନୂଆଦିଲ୍ଲୀ : କାରୋନା ମାହାମାରୀ ଲାଗି ଘୋଷିତ ଲକଡାଉନ ଯୋଗୁଁ ସମାଜର କୌଣସି ବ୍ୟକ୍ତି ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ (ପିଏମଜିକେପି) ଘୋଷଣା କରିଥିଲେ। ଏହି ପ୍ୟାକେଜର ଅଂଶସ୍ଵରୂପ ସରକାର ଗରିବ, ବରିଷ୍ଠ ନାଗରିକ, ଚାଷୀ ଏବଂ ମହିଳାଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ଓ ନଗଦ ଅର୍ଥ ପଇଠ ପାଇଁ ଯୋଜନା କରିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାର ଦ୍ରୁତ କାର୍ଯ୍ୟକାରିତା ଉପରେ ନଜର ରଖିଛନ୍ତି।

ଲକଡାଉନ କାଳରେ ଯେପରି ଏହି ରିଲିଫ ସେମାନଙ୍କ ପାଖରେ ପହଞ୍ଚେ, ତା’ଉପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଏହାର ଆନୁସଙ୍ଗିକ ବିଭାଗ, କ୍ୟାବିନେଟ ସଚିବାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ହିତାଧିକାରୀମାନଙ୍କୁ ଅର୍ଥର ଶୀଘ୍ର ପଇଠ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ଯୋଗୁଁ ହିତାଧିକାରୀଙ୍କ ଖାତାରେ ଶୀଘ୍ର ଅର୍ଥ ପଇଠ ହୋଇପାରୁଛି। ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଯୋଗୁଁ ହିତାଧିକାରୀଙ୍କୁ ଅଯଥାରେ ବ୍ୟାଙ୍କକୁ ଦୌଡିବାକୁ ପଡୁନାହିଁ।

ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏପ୍ରିଲ ମାସ ପାଇଁ ଉଦ୍ଦିଷ୍ଟ ୪୦ ଲକ୍ଷ ଟନ ଖାଦ୍ୟଶସ୍ୟ ମଧ୍ୟରୁ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମିଶି ୨୦.୧୧ ଲକ୍ଷ ଟନ ଖାଦ୍ୟଶସ୍ୟ ଉଠାଇଛନ୍ତି। ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମିଶି ୧.୧୯ କୋଟି ରେସନ କାର୍ଡ ଜରିଆରେ ୫.୨୯ କୋଟି ହିତାଧିକାରୀକୁ ଖାଦ୍ୟଶସ୍ୟ ପ୍ରଦାନ କରିଛନ୍ତି। ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩୯୮୫ ଟନ ଡାଲି ଜାତୀୟ ଶସ୍ୟ ପଠାଯାଇଛି। ଇପିଏଫଓ ସଦସ୍ୟମାନଙ୍କୁ ଶତକଡା ୭୫ ଭାଗ ବିନା ଫେରସ୍ତ ନଗଦ ରାଶି ପ୍ରଦାନ କରାଯାଇଛି। ୨.୧ ଲକ୍ଷ ଇପିଏଫଓ ସଦଶ୍ୟ ଅନଲାଇନରେ ଏପର୍ଯ୍ୟନ୍ତ ୫୧୦ କୋଟି ଟଙ୍କା ଉଠାଇଛନ୍ତି। ସେହିଭଳି, ମନରେଗା ପାଇଁ ବର୍ଦ୍ଧିତ ଅର୍ଥ ଘୋଷଣା କରାଯାଇ ଏହାକୁ ଚଳିତ ମାସ ପହିଲାରୁ ଲାଗୁ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୧୯.୫୬ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଛି। ବକେୟା ଅର୍ଥ ପଇଠ ପାଇଁ ରାଜ୍ୟଗୁଡିକୁ ୭,୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସରକାରୀ ଚିକିତ୍ସାଳୟ ଓ ସେବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ବୀମା ଯୋଜନାରେ ଦେଶର ପ୍ରାୟ ୨୨.୧୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ନ୍ୟୁ ଇଣ୍ଡିଆ ଆସୁରେନ୍ସ ପକ୍ଷରୁ ଏହି ବୀମା ଯୋଜନା ଚାଲୁ କରାଯାଇଛି। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପ୍ରଥମ କିସ୍ତି ପଇଠ ବାବଦକୁ ୧୪,୯୪୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରାୟ ୮ କୋଟି ହିତାଧିକାରୀଙ୍କ ମଧ୍ୟରୁ ୭.୪୭ କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଇଠ କରାଯାଇଛି। ଏହି ସମୟରେ ବୟସ୍କ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ କରାଯାଇଛି। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ୨.୮୨ କୋଟି ବୟସ୍କ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୧୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯୋଜନା ଅଧୀନରେ ପ୍ରେତ୍ୟେକ ହିତାଧିକାରୀ ପ୍ରଥମ କିସ୍ତି ବାବଦ ୫୦୦ ଟଙ୍କା ଲେଖାଏଁ ପାଇଛନ୍ତି। ଦ୍ଵିତୀୟ କିସ୍ତିରେ ଆଉ ୫୦୦ ଟଙ୍କା ଲେଖାଏଁ ସେମାନକୁ ଆସନ୍ତା ମାସରେ ପ୍ରଦାନ କରାଯିବ। ସେହିଭଳି, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କୋଠାବାଡି ଓ ନିର୍ମାଣ ଶ୍ରମିକ ପାଣ୍ଠିରୁ ୨.୧୭ କୋଟି ହିତାଧିକାରୀଙ୍କୁ ୩,୦୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର