ମୋଦୀ ଆପ୍ ପଛରେ ପଡ଼ିଯାଇଛନ୍ତି; ସତ୍ୟେନ୍ଦ୍ର ଜୈନଙ୍କ ସହଯୋଗୀଙ୍କ ଘରୁ ୨.୮୫ କୋଟି ଜବତ ହେବା ପରେ ଏଭଳି କହିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢାଉ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨.୮୫ କୋଟିର ନଗଦ ଟଙ୍କା ସମେତ ବିପୁଳ ପରିମାଣର ସୁନା ମୁଦ୍ରା ଜବତ କରିଥିବା ପ୍ରକାଶ କରିଛି । ଏହି ଘଟଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ସେ ଟ୍ବିଟ କରି କହିଛନ୍ତି ଯେ, ଏବେ ପ୍ରଧାନମନ୍ତ୍ରୀ ଆମ୍ ଆଦମୀ ପାର୍ଟି, ବିଶେଷକରି ଦିଲ୍ଲୀ ଏବଂ ପଞ୍ଜାବ ସରକାରଙ୍କ ପଛରେ ପଡ଼ିଛନ୍ତି। ମିଛ ଉପରେ ମିଛ କହିବାରେ ଲାଗିଛନ୍ତି। ଆପଣଙ୍କ ପାଖରେ ସବୁ ଏଜେନ୍ସିର ଶକ୍ତି ଅଛି, କିନ୍ତୁ ଭଗବାନ ଆମ ସହିତ ଅଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କ ଘରୁ କିଛି ମିଳିନାହିଁ। ସତ୍ୟେନ୍ଦ୍ର ଜୈନଙ୍କୁ ଫସାଇବା ପାଇଁ ଜୋର ଜବରଦସ୍ତ କାହାକୁ ଆଣି ତାଙ୍କ ସଂପର୍କୀୟ ବୋଲି କହି ତାଙ୍କ ସହ ଯୋଡାଯାଉଛି। ଯେତେବେଳେ ସତ୍ୟେନ୍ଦ୍ର ଜୈନଙ୍କ ଘରୁ କିଛି ମିଳିଲା ନାହିଁ, ସେତେବେଳେ ବିଜେପି ମିଛ ଆରୋପ ଲଗାଇ ସତ୍ୟେନ୍ଦ୍ରଙ୍କୁ ଫସାଉଛି। ସତ୍ୟେନ୍ଦ୍ରଙ୍କ ଘରୁ ୨ଲକ୍ଷ ୭୯ହଜାର ଟଙ୍କା ଜବତ କରାଯାଇଛି। କିନ୍ତୁ ଆଉ କିଛି ମିଳିନାହିଁ।
ତେବେ ଅର୍ଥ ହେରଫେର ମାମଲାର ତଦନ୍ତର ଏକ ଅଂଶ ଭାବରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ କଥିତ ସହଯୋଗୀଙ୍କ ପରିସରରେ ଚଢାଉ କରାଯିବା ପରେ ୨.୮୫ କୋଟି ଟଙ୍କା ଏବଂ ୧୩୩ଟି ସ୍ବର୍ଣ୍ଣ ମୁଦ୍ରା (ଯାହାର ଓଜନ ୧.୮ କିଲୋଗ୍ରାମ) ଜବତ କରାଯାଇଛି ବୋଲି ଇଡି ମଙ୍ଗଳବାର କହିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କହିଛି ଯେ ସୋମବାର ଚଢାଉ ହୋଇଥିବା ବ୍ୟକ୍ତିମାନେ ଅର୍ଥ ହେରଫେର ପ୍ରକ୍ରିୟାରେ ମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସାହାଯ୍ୟ କରିଥିଲେ। ଜବତ କରା ଯାଇଥିବା ନଗଦ ଟଙ୍କାର କୌଣସି ପ୍ରକାରର ହିସାବ ମିଳି ନଥିଲା ଏବଂ ଏହାକୁ ଏକ ଗୁପ୍ତ ସ୍ଥାନରେ ରଖାଯାଇଥିଲା ବୋଲି ଇଡି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।