ନିଉଜିଲାଣ୍ଡ୍‌ରେ ନୂଆ ଓମିକ୍ରନ୍‌ କଟକଣା ଜାରି ହେବାରୁ ନିଜ ବାହାଘର ବାତିଲ କଲେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ

ସିଡ୍‌ନି: ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ର ଗୋଷ୍ଠୀ ସଂକ୍ରମଣ ମନ୍ଥର କରିବା ଲାଗି ଦେଶବ୍ୟାପୀ ନୂଆ କଟକଣା ଜାରି ହେବାରୁ ନିଜ ବାହାଘର ବାତିଲ କରିଥିବା କଥା ନିଉଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି।

ଏକ ବିବାହ ଅନୁଷ୍ଠାନ ପରେ ନିଉଜିଲାଣ୍ଡର ଉତ୍ତରରୁ ଦକ୍ଷିଣକୁ ୯ଟି କୋଭିଡ୍‌-୧୯ ଓମିକ୍ରନ୍‌ ମାମଲା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ରବିବାର ମଧ୍ୟରାତ୍ରରୁ ନିଉଜିଲାଣ୍ଡ୍‌ ମାସ୍କ୍‌ ପରିଧାନ ନିୟମ ଲାଗୁ କରିବା ସହ ଜନସମାଗମ ସୀମିତ କରିବାକୁ ଘୋଷଣା କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର ଦ୍ବୀପର ଅକ୍‌ଲାଣ୍ଡ୍‌ରେ ଗୋଟାଏ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ‌ଯୋଗ ଦେଇ ଏକ ପରିବାର ବିମାନ ଯୋଗେ ଦକ୍ଷିଣ ଦ୍ବୀପର ନେଲ୍‌ସନ୍‌କୁ ଫେରିଥିଲେ। ଉକ୍ତ ପରିବାର ଓ ବିମାନ ପରିଚାରକ ପଜିଟିଭ୍‌ ବାହାରିଛନ୍ତି।

ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି, ମୋ ବାହାଘର ହେବନାହିଁ। ମୋ ଭଳି ଅପ୍ରୀତିକର ପରିସ୍ଥିତିରେ ପଡ଼ିଥିବା ଲୋକଙ୍କ ପାଇଁ ମଧ୍ୟ ମୁଁ ଦୁଃଖିତା। ଆର୍ଡର୍ଣ୍ଣ ତାଙ୍କ ବିବାହ ତାରିଖ ଘୋଷଣା କରି ନ ଥିଲେ, କିନ୍ତୁ ନିକଟରେ ତାଙ୍କ ବାହାଘର ହେବ ବୋଲି ଗୁଜବ ଉଠିଥିଲା।

Image Courtesy of India Today

‘ଫିସିଙ୍ଗ୍‌-ସୋ’ର ହୋଷ୍ଟ୍‌ ତଥା ତାଙ୍କ ଦୀର୍ଘ ଦିନର ପ୍ରେମିକ କ୍ଲାର୍କ ଗେଫୋର୍ଡଙ୍କ ସହ ହେବାକୁ ଥିବା ବାହାଘର ବାତିଲ ଘଟଣା ତାଙ୍କୁ କେମିତି ଲାଗୁଛି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ଏଇ ତ ଜୀବନ।

ସେ ଆହୁରି ମଧ୍ୟ କହିଛନ୍ତି, ସତ କଥା କହିବାକୁ ଗଲେ ଅନ୍ୟମାନଙ୍କ ଠାରୁ ମୁଁ ଭିନ୍ନ ନୁହେଁ। ମହାମାରୀ ଯୋଗୁଁ ହଜାର ହଜାର ନିଉଜିଲାଣ୍ଡବାସୀ ସାଙ୍ଘାତିକ ଅବସ୍ଥା ଭୋଗିଛନ୍ତି। ସବୁଠୁ ଦୁଃଖର ବିଷୟ ସାଙ୍ଘାତିକ ଅସୁସ୍ଥତା ଯୋଗୁଁ ସେମାନଙ୍କ ମଧ୍ୟରୁ ଅନେକ ନିଜ ପ୍ରିୟତମଙ୍କୁ ଭେଟି ପାରିନାହାନ୍ତି। ସେମାନଙ୍କ ଦୁଃଖ ମୋ ଦୁଃଖକୁ ବଳିଯିବ।

ସୂଚନାଯୋଗ୍ୟ, ବିଦେଶୀଙ୍କ ପାଇଁ ମାର୍ଚ ୨୦୨୦ରୁ ନିଉଜିଲାଣ୍ଡ୍‌ ସୀମାନ୍ତ ବନ୍ଦ କରି ଦିଆଯାଇଛି। ଜାନୁଆରି ମଧ୍ୟ ଭାଗରୁ ଫେବ୍ରୁଆରି ଶେଷ ସୁଦ୍ଧା ପର୍ଯ୍ୟାୟକ୍ରମେ ସୀମାନ୍ତ ଖୋଲାଯାଇ ଥାଆନ୍ତା କିନ୍ତୁ, ପଡ଼ୋଶୀ ଅଷ୍ଟ୍ରେଲିଆରେ ଓମିକ୍ରନ୍‌ ବ୍ୟାପୁଥିବା ଆଶଙ୍କାରେ ନିଉଜିଲାଣ୍ଡ୍‌ ସରକାର ସେ ଯୋଜନା ସ୍ଥଗିତ ରଖିଛନ୍ତି।

୧୨ ବର୍ଷ ବୟସରୁ ଅଧିକ ନିଉଜିଲାଣ୍ଡ୍‌ର ପ୍ରାୟ ୯୪% ଜନତା ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି ଏବଂ ଯୋଗ୍ୟ ବିବେଚିତଙ୍କ ମଧ୍ୟରୁ ୫୬% ବୁଷ୍ଟର୍‌‌ ଡୋଜ୍‌ ମଧ୍ୟ ନେଇ ସାରିଲେଣି।

ସମ୍ବନ୍ଧିତ ଖବର