ନୂଆଦିଲ୍ଲୀ : ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ଯୋଜନାରେ ଦଶମ କିସ୍ତି ପ୍ରଦାନ କରିବେ। ଦଶକୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପଠାଯିବ। ଏହି ଯୋଜନାରେ ତିନିଟି କିସ୍ତିରେ ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ତେବେ ଅର୍ଥ ପ୍ରଦାନ (ଟ୍ରାନସ୍ଫର) ସମସ୍ୟା ଯୋଗୁ ବହୁ ଚାଷୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି।
କେନ୍ଦ୍ର କୃଷି ମନ୍ତ୍ରାଳୟ ତଥ୍ୟ ଅନୁସାରେ ୨୦୧୮-୧୯ରୁ ଏହି ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ ଚଳିତ ବର୍ଷ ନଭେମ୍ବର ୩୦ ତାରିଖ ସୁଦ୍ଧା ଦେଶରେ ୧୧.୬୦ କୋଟି ହିତାଧିକାରୀଙ୍କୁ ପାଖାପାଖି ୧.୬୦ ଲକ୍ଷ କୋଟି ଟଙ୍କା ଏକାଧିକ କିସ୍ତି ଜରିଆରେ ପ୍ରଦାନ କରାଯାଇଛି। ଯୋଜନାରେ ଓଡ଼ିଶାର ୨୩ ଲକ୍ଷ ୧୬ ହଜାର ୧୨୪ ହିତାଧିକାରୀ ଉପକୃତ ହୋଇଛନ୍ତି। ତେବେ ଏହି ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ଟ୍ରାନସ୍ଫର (ପ୍ରଦାନ) ବେଳେ କାରବାରରେ ଏବେବି ସମସ୍ୟା ଲାଗିରହିଛି। ସୂଚନା ମୁତାବକ ଯୋଜନା ଆରମ୍ଭ ହେବା ଠାରୁ ଚଳିତ ବର୍ଷ ନଭେମ୍ବର ୩୦ ସୁଦ୍ଧା ଦେଶରେ ହୋଇଥିବା ମୋଟ ୮୦ କୋଟି ୨୭ ଲକ୍ଷ ୪୪ ହଜାର ୬୭୪ କାରବାର ମଧ୍ୟରୁ ୬୪ ଲକ୍ଷ ୪୦ ହଜାର ୭୪୩ କାରବାର ବିଫଳ ହୋଇଛି। ଓଡିଶା ଚାଷୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୨ ଲକ୍ଷ ୮୪ ହଜାର ୬୫।
/sambad/media/post_attachments/wp-content/uploads/2021/12/farmer-2.jpg)
ଓଡ଼ିଶାରେ ୨୦୧୯-୨୦ରେ ୧ ଲକ୍ଷ ୫୩ ହଜାର ୫୪୧, ୨୦୨୦-୨୧ରେ ୩୫ ହଜାର ୨୨ ଏବଂ ୨୦୨୧-୨୨ ବର୍ଷରେ ନଭେମ୍ବର ୩୦ ସୁଦ୍ଧା ୯୫ ହଜାର ୫୦୨ କାରବାର ବିଫଳ ହୋଇଛି। ୨୦୧୯-୨୦ରେ ବିଫଳ ହୋଇଥିବା କାରବାର ମଧ୍ୟରୁ ୮୪ ହଜାର ୨୪୨ ନଭେମ୍ବର ୩୧, ୨୦୨୧ ସୁଦ୍ଧା ସମାଧାନ ହୋଇପାରିନଥିଲା। ସେହିଭଳି ୨୦୨୦-୨୧ରେ ବିଫଳ ହୋଇଥିବା କାରବାର ମଧ୍ୟରୁ ୧୭ ହଜାର ୫୬୨ଟିର ସମାଧାନ ନଭେମ୍ବର ୩୦, ୨୦୨୧ ପର୍ଯ୍ୟନ୍ତ ହୋଇପାରିନଥିଲା। ୨୦୨୧-୨୨ରେ ହୋଇଥିବା କାରବାର ମଧ୍ୟରୁ ୨୦୨୧ ନଭେମ୍ବର ୩୦ ସୁଦ୍ଧା ୮୪ ହଜାର ୯୦୫ ମାମଲାର ସମାଧାନ ହୋଇପାରିନାହିଁ। ଏହା ଫଳରେ ଗତ ତିନି ବର୍ଷ ମଧ୍ୟରେ ରାଜ୍ୟର ଚାଷୀମାନଙ୍କୁ ୩୭ କୋଟି ୩୪ ଲକ୍ଷ ୧୮ ହଜାର ଟଙ୍କା ପ୍ରଦାନ କରାଯାଇ ପାରିନାହିଁ।
କୃଷି ମନ୍ତ୍ରାଳୟ ଏଥି ପାଇଁ ହିତାଧିକାରୀମାନଙ୍କ ଆକାଉଣ୍ଟ ବନ୍ଦ କିମ୍ବା ସ୍ଥାନାନ୍ତର ହେବା, ନିଷ୍କ୍ରିୟ ଆକାଉଣ୍ଟ, ଆଇଏଫ୍ଏସ୍ସି କୋଡ୍ ସମସ୍ୟା, ଆକାଉଣ୍ଟଧାରୀଙ୍କ ମୃତ୍ୟୁ, ବୈଷୟିକ ତ୍ରୁଟି ଓ ନେଟୱାର୍କ ଆଦି ସମସ୍ୟାକୁ ଦାୟୀ କରିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ଚାଷୀଙ୍କ ଆକାଉଣ୍ଟ୍କୁ ନୂଆ ପ୍ରକ୍ରିୟା ଜରିଆରେ ଅର୍ଥ ପଠାଇବା ପାଇଁ ଏସ୍ଓପି ବିକଶିତ କରାଯାଇଛି। ଏହାର କ୍ରିୟାନ୍ବୟନ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ଏହି ଯୋଜନାରେ ରାଜ୍ୟର ୫୦ ହଜାର ୨୫୨ ହିତାଧିକାରୀଙ୍କ ବିଭିନ୍ନ ଅଭିଯୋଗ ପିଏମ୍-କିଷାନ ପୋର୍ଟାଲରେ ପଂଜୀକୃତ ହୋଇଥିବାବେଳେ ଏଥିରୁ ୫୦ ହଜାର ୧୮୭ଟିର ସମାଧାନ ହୋଇଛି।