ପିଏମ-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ ବଣ୍ଟନ ଅଭିଯାନ ଆରମ୍ଭ, ୨୫ରେ ସରିବ

୧୦ ଫେବୃଆରୀ ଠାରୁ ଆରମ୍ଭ ହୋଇଥିବା ଅଭିଯାନ ୧୫ଦିନ ପର୍ଯ୍ୟନ୍ତ ଚାଲିବ

ନୂଆଦିଲ୍ଲୀ:  ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ କରିବା ଉପରେ ସର୍ବାଧିକ ୪ ପ୍ରତିଶତ ସୁଧ ହାରରେ କୃଷି, ପଶୁ ଓ ମତ୍ସ୍ୟପାଳନ ଲାଗି ସ୍ୱଳ୍ପକାଳୀନ ଋଣ ମିଳିପାରିବ ।

ଏହି ଅଭିଯାନ ୧୦ ଫେବୃଆରି, ୨୦୨୦ରୁ ଆରମ୍ଭ ହୋଇଥିବା ବେଳେ ୧୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ, ସବୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ନାବାର୍ଡ ଅଧ୍ୟକ୍ଷଙ୍କୁ ଜାରି କରାଯାଇଛି । କେସିସି ଅଧୀନରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ସାମିଲ କରିବା ନିମନ୍ତେ ଅବଲମ୍ବନ ହେବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ବିବରଣୀ ଏଥିରେ ଦିଆଯାଇଛି ।

କେସିସି ନଥିବା ପିଏମ-କିଷାନ ହିତାଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସମେତ ବ୍ୟାଙ୍କର ଏମଡିମାନଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ କୃଷି, ପଶୁପାଳନ, ପଂଚାୟତ ଏବଂ ଗ୍ରାମୀଣ ବିକାଶ ବିଭାଗ ସଚିବଙ୍କ ଜରିଆରେ ଏପରି ହିତାଧିକାରୀଙ୍କ ସହିତ ଯୋଗାଯୋଗ କରିବା ଲାଗି ମଧ୍ୟ କୁହାଯାଇଛି । ଏନଆରଏଲଏମ ଯୋଜନା ଅନ୍ତର୍ଗତ ‘ବ୍ୟାଙ୍କ ସଖୀ’ମାନଙ୍କ ଜରିଆରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ସଚେତନ କରିବେ । ଫଳରେ ହିତାଧିକାରୀମାନେ କିଷାନ କ୍ରେଡିଟ କାର୍ଡ ପାଇଁ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯିବା ଲାଗି ପ୍ରସ୍ତୁତ ହେବେ ।

କେସିସି ଜରିଆରେ ସୁଧ ରିହାତି ସୁବିଧା ଏଣିକି ମତ୍ସ୍ୟ ଓ ପଶୁପାଳନ କରୁଥିବା ଚାଷୀଙ୍କୁ ମଧ୍ୟ ମିଳିବ । ଏହାକୁ ଦୃଷ୍ଟିରେ ରଖି ଏପରି କୃଷକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଅତିରିକ୍ତ ଋଣ ସୀମା ଓ ନୂଆ କ୍ରେଡିଟ କାର୍ଡ ଜାରି କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର