ପିଏମ୍ କିଷାନ ଯୋଜନାରେ ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପି.ଏମ୍-କିଷାନ) ଯୋଜନା ଅଧୀନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଦଶମ କିସ୍ତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କୁ ୨୦ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପହଞ୍ଚିବ । ଏହା ସହ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟି ଟଙ୍କାର ଅଂଶଧନ ବାବଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏଥିଯୋଗୁଁ ୧.୨୪ ଲକ୍ଷ କୃଷକ ଉପକୃତ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ସଂଗଠନମାନଙ୍କ ସହ ମତ ବିନିମୟ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ ରାଜ୍ୟର କୃଷିମନ୍ତ୍ରୀ ଓ କୃଷକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ନୂଆବର୍ଷରେ ପଦାର୍ପଣ କରିଛୁ । ଆମେ ବିଗତବର୍ଷର ସଫଳତାରୁ ଉତ୍ସାହ ପାଇଁ ନୂତନବର୍ଷରେ ଯାତ୍ରା ଆରମ୍ଭ କରିବା । ପ୍ରଧାନମନ୍ତ୍ରୀ ଦେଶର ବୈଶ୍ୱିକ ମହାମାରୀ କିପରି ମୁକାବିଲା କରିଛି ତାହାର ସ୍ମୃତିଚାରଣ କରି କିପରି ଟିକାକରଣ ହେବା ସହ ସମାଜରେ ବଂଚିତ ଲୋକମାନଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥିଲା ତା’ର ବର୍ଣ୍ଣନା କରିଥିଲେ । ସେମାନଙ୍କ ପାଇଁ ଦେଶ ୨ଲକ୍ଷ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରି ଖାଦ୍ୟ ସାମଗ୍ରୀ ଯୋଗାଇଥିଲା । ସରକାର ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ନୂତନ ଅମ୍ଳଜାନ କାରଖାନା, ନୂତନ ମେଡିକାଲ କଲେଜ, ସୁଧାର କେନ୍ଦ୍ର, ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଓ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ଜରିଆରେ ମେଡିକାଲି ଭିତ୍ତିଭୂମିର ପୁନର୍ଗଠନ କରାଯାଉଛି ବୋଲି କହିଥିଲେ । ଅର୍ଥନୀତି ଉପରେ ସେ କହିଥିଲେ ଯେ ଅନେକ କ୍ଷେତ୍ରରେ ଭାରତୀୟ ଅର୍ଥନୀତି କୋଭିଡ ପୂର୍ବ ଅବସ୍ଥାରୁ ଭଲ ଦେଖାଯାଉଛି ।

ସେ କହିଥିଲେ ଯେ “ଆଜି ଦେଶର ଅଭିବୃଦ୍ଧି ହାର ଶତକଡା ଆଠଭାଗ ହୋଇଛି । ରେକର୍ଡ ପରିମାଣ ବିଦେଶୀ ପୁଞ୍ଜିନିବେଶ ହୋଇଛି । ଆମର ବୈଦେଶିକ ମୁଦ୍ରା ସଞ୍ଚୟ ରେକର୍ଡ ପରିମାଣରେ ପହଞ୍ଚିଛି।ଜିଏସଟି ସଂଗ୍ରହରେ ମଧ୍ୟ ପୁରୁଣା ରେକର୍ଡ ଭଙ୍ଗ ହୋଇଛି । ରପ୍ତାନୀ ବିଶେଷକରି କୃଷି କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି ହୋଇଛି ।” ୟୁପିଆଇ୨୦୨୧ରେ ୭୦ ଲକ୍ଷ କୋଟିର ଦେଣନେଣ ହୋଇଛି । ଦେଶରେ ୫୦ହଜାରରୁ ଅଧିକ ଷ୍ଟାର୍ଟଅପ କାର୍ଯ୍ୟ କରୁଥିବାବେଳେ, ଗତ ଛଅମାସରେ ଦଶହଜାର ଷ୍ଟାର୍ଟଅଫ କାର୍ଯ୍ୟକାରୀ ହୋଇଛି । ବିଗତବର୍ଷରେ କୃଷି କ୍ଷେତ୍ରରେ ହୋଇଥିବା ସଫଳତା ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଖାଦ୍ୟଶସ୍ୟ ଉତ୍ପାଦନ ୩୦୦ ନିୟୁତ ଟନରେ ପହଞ୍ଚିଛି । ସେହିପରି ଉଦ୍ୟାନ କୃଷି ଓ ଫୁଲଚାଷ ଉତ୍ପାଦନ ୩୩୦ ନିୟୁତ ଟନ ହୋଇଥିବାବେଳେ, ଦୁଗ୍ଧ ଉତ୍ପାଦନରେ ଶତକଡା ୪୫ଭାଗ ଛଅ ସାତବର୍ଷରେ ବୃଦ୍ଧି ଘଟିଛି ।

ପ୍ରାୟ ୬୦ଲକ୍ଷ ହେକ୍ଟର ଜମି ଅଣୁଜଳସେଚନ ଅଧୀନକୁ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକଲକ୍ଷ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି । ତେବେ ଏଥିରେ ପ୍ରିମିୟମ ୨୧ହଜାରକୋଟି ଟଙ୍କା ରହିଥିଲା। ମାତ୍ର ସାତବର୍ଷ ମଧ୍ୟରେ ଇଥାନଲ ଉତ୍ପାଦନ ୪୦କୋଟି ଲିଟରରୁ ୩୪୦କୋଟି ଲିଟରକୁ ବୃଦ୍ଧି ପାଇଛି । ବାୟୋଗ୍ୟାସ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ଗୋବର୍ଦ୍ଧା ଯୋଜନା ସମ୍ପର୍କରେ କହିଥିଲେ ଯେ ଯଦି ଗୋବରର ମୂଲ୍ୟ ଧାର୍ଯ୍ୟ ହୁଅନ୍ତା ତେବେ ଦୁଗ୍ଧ ଦେଉ ନ ଥିବା ପ୍ରାଣୀମାନେ ଆଉ କୃଷକମାନଙ୍କ ନିମନ୍ତେ ବୋଝ ହୋଇ ରହନ୍ତେ ନାହିଁ । ସରକାର କାମଧେନୁ କମିଶନ ଆରମ୍ଭ କରି ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମିକୁ ମଜବୁତ କରିଥିବା ସେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ପୁଣିଥରେ ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମାଟିର ଉର୍ବରତା ରକ୍ଷା କରିବାକୁ ହେଲେ ରାସାୟନିକ ସାର ମୁକ୍ତ କୃଷି ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ । ପ୍ରାକୃତିକ ଚାଷ ସେ ଦିଗରେ ଏକ ମୁଖ୍ୟ ପଦକ୍ଷେପ । ପ୍ରତ୍ୟେକ ଚାଷୀ ପ୍ରାକୃତିକ ଚାଷର ପଦ୍ଧତି ଓ ସୁବିଧା ନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର