ପିଏମ୍‌ କୁସୁମ: ଓଡ଼ିଶାରେ ୧୨୨୩ଟି ସୌର ପମ୍ପ ସ୍ଥାପନ ହୋଇଛି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍‌ଥାନ ମହାଭିଯାନ (ପିଏମ୍‌ କୁସୁମ) ଅଧୀନରେ ଦେଶରେ ଗତ ଫେବ୍ରୁଆରି ଶେଷ ସୁଦ୍ଧା ଦେଶରେ ୮୯.୪୫ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସୃ‌ଷ୍ଟି ହୋଇଛି। ଓଡ଼ିଶା ପାଇଁ ଯଦିଓ ୫୦୦ ମେଗାୱାଟ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି କିନ୍ତୁ ଏଥିରେ ବର୍ତ୍ତମାନ ସୁଦ୍ଧା କିଛି ଉତ୍ପାଦନ ହୋଇନାହିଁ ବୋଲି କେନ୍ଦ୍ର ଅକ୍ଷୟ ଶକ୍ତି ବିକାଶ ବିଭାଗ ମନ୍ତ୍ରୀ ଆର୍‌କେ ସିଂହ କହିଛନ୍ତି। କିନ୍ତୁ ଓଡ଼ିଶା ପାଇଁ ଏହି ସମୟ ମଧ୍ୟରେ ୫୭୪୧ଟି ସୌର ଶକ୍ତି ଚାଳିତ କୃଷି ପାଣିପମ୍ପ ସ୍ଥାପନକୁ ମଞ୍ଜୁରି ଦିଆଯାଇଥିବାବେଳେ ଏଥିରୁ ୧୨୨୩ଟି ପମ୍ପ ସ୍ଥାପନ ହୋଇଛି। ଏହାବ୍ୟତୀତ ଉକ୍ତ ଯୋଜନାର କମ୍ପୋନେଟ୍ ଗ ଅଧୀନରେ ଓଡ଼ିଶା ପାଇଁ ଗତ ଫେବ୍ରୁଆରି ସୁଦ୍ଧା ୫୦ ହଜାର ପମ୍ପ ସ୍ଥାପନକୁ ମଞ୍ଜୁରି ଦିଆଯାଇଛି ବୋଲି ବିଜେଡି ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଉକ୍ତ ଯୋଜନାରେ ଓଡ଼ିଶା ପକ୍ଷରୁ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ୫୦୦ ମେଗାୱାଟର ଶକ୍ତି ଉତ୍ପାଦନ, ୧୦୭୪୧ଟି ସୌର ଶକ୍ତି ଚାଳିତ ପାଣି ପମ୍ପ ଏବଂ କମ୍ପୋନେଟ ଗରେ ୫୦ ହଜାର ସଂଖକ ପମ୍ପର ଚାହିଦା ଥିବା ପ୍ରସ୍ତାବ କେନ୍ଦ୍ରର ହସ୍ତଗତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଶ୍ରୀ ମଙ୍ଗରାଜଙ୍କ ଅନ୍ୟ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ର‌ାମେଶ୍ବର ତେଲି ଭାରତ ବିଶ୍ବର ଯେଉଁସବୁ ସଂସ୍ଥା ସହିତ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଗବେଷଣା ପାଇଁ ସହବନ୍ଧନ କରିଛନ୍ତି ସେ ନେଇ ସୂଚନା ଦେଇଛନ୍ତି। ଓଏନ୍‌ଜିସି ପକ୍ଷରୁ କାନାଡ଼ାର କାଲଗାରି ବିଶ୍ବବିଦ୍ୟାଳୟ, ଅଷ୍ଟ୍ରେଲିଆର ସାଉଥ ୱେଲ୍ସ ବିଶ୍ବବିଦ୍ୟାଳୟ, ରୁଷ୍‌ର କାଜାନା ଫେଡେରାଲ ବିଶ୍ବବିଦ୍ୟାଳୟ, ମସ୍କୋର ସ୍କୋଲକୋଭ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ସହିତ ତୈଳ ଏବଂ ଗ୍ୟାସର ସନ୍ଧାନ ଓ ବିକାଶ ପାଇଁ ରାଜିନାମା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ତେଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର