ପିଉସାଙ୍କ ମୃତ୍ୟୁରେ ମଧ୍ୟ ସାମାଜିକ ଦୂରତ୍ୱକୁ ସମର୍ଥନ କରୁଥିବା ଓମାର ଅବଦୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପିଉସାଙ୍କ ମୃତ୍ୟୁ ଯୋଗୁଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଲକଡାଉନ ମାର୍ଗଦର୍ଶିକାକୁ ସମ୍ମାନ ଜଣାଇ ତାଙ୍କ ବାସଭବନ ବା ମଶାଣିରେ ସମବେତ ନ ହେବକୁ ଓମାର ତାଙ୍କ ସମର୍ଥକମାନଙ୍କୁ କରିଥିବା ନିବେଦନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ରାତିରେ ଓମାର୍ ଟୁଇଟ୍ କରିଛନ୍ତି ଯେ ଘରେ ଥାଇ ପ୍ରାର୍ଥନା କଲେ ତାଙ୍କ ପିଉସାଙ୍କ ଆତ୍ମା ଶାନ୍ତି ପାଇବ । ସ୍ୱଳ୍ପ ସମୟର ଅସୁସ୍ଥତା ପରେ ଶ୍ରୀନଗର ଠାରେ ତାଙ୍କ ପିଉସା ଡାକ୍ତର ମହମ୍ମଦ ଅଲି ମାତ୍ତୂଙ୍କର ପରଲୋକ ହୋଇଥିବା କଥା ସେ ଘୋଷଣା କରିଥିଲେ ।
ସୋମବାର ଦିନ ଶୋକବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଏହି ଦୁଃଖଦ ସମୟରେ ଜନସମାଗମ ଏଡ଼ାଇବାକୁ ଆପଣ ଦେଇଥିବା ଆହ୍ୱାନ ପ୍ରଶଂସାଯୋଗ୍ୟ । କୋଭିଡ୍-୧୯ ବିରୋଧରେ ଭାରତର ସଂଗ୍ରାମକୁ ଏହା ମଜଭୁତ କରିବ ।
ଏହାର ଉତ୍ତର ଦେଇ ଓମାର ଲେଖିଛନ୍ତି ଯେ ଶୋକବାର୍ତ୍ତ ନିମନ୍ତେ ମୋ ସହ ମୋ ପରିବାର ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦିଂବଗତ ଆତ୍ମାଙ୍କ ପାଇଁ ଆପଣଙ୍କ ପ୍ରାର୍ଥନା ଖୁବ୍ ଆଦୃତ ହୋଇଛି ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ଜାମାତା ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କର ଭିଣୋଇ ଡାକ୍ତର ମହମ୍ମଦ ଅଲି ମାତ୍ତୂ ଶେଖ୍ ଅବଦୁଲ୍ଲାଙ୍କ ଦୁଇ ଝିଅ ସୁରିଆ ଏବଂ ଖାଲିଦାଙ୍କୁ ବିବାହ କରିଥିଲେ । ପୂର୍ବରୁ ସେ ଶେର୍-ଇ-କଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ କାର୍ଯ୍ୟ କରୁଥିଲେ ।