ଜିଏସ୍‌ଟି କମିବ: ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ଆହୁରି ସରଳ କରାଯିବ। ଏଥିପାଇଁ ଯୋଜନା ଚାଲିଛି। ୯୯ ପ୍ରତିଶତ ସାମଗ୍ରୀକୁ ୧୮% କିମ୍ବା ତା’ଠାରୁ କମ୍ ହାରର ଜିଏସ୍‌ଟି ପରିସରକୁ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି। ୨୮% ଜିଏସ୍‌ଟି କେବଳ ବିଳାସପୂର୍ଣ୍ଣ ଭଳି ଅଳ୍ପ କେତୋଟି ସାମଗ୍ରୀରେ ଲାଗୁ ହେବ। କିନ୍ତୁ ସାଧାରଣ ଲୋକ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକୁ ୧୮% କିମ୍ବା ତା’ଠାରୁ କମ୍ ଜିଏସ୍‌ଟି ବର୍ଗରେ ରଖାଯିବ। ଏହା ହେଲେ ଆଗାମୀ ଦିନରେ ଅନେକ ନିତିଦିନିଆ ବ୍ୟବହାର ହେଉଥିବା ସାମଗ୍ରୀ ଆହୁରି ଶସ୍ତା‌ ହେବ।ଅନ୍ୟପକ୍ଷରେ ଉଦ୍ୟୋଗ ଗୁଡ଼ିକ ପାଇଁ ଜିଏସ୍‌ଟିକୁ ଯେତେ‌ ସମ୍ଭବ ସେତେ ସରଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଭିନ୍ନ ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଭାଟ୍ କିମ୍ବା ଉତ୍ପାଦନ ଶୁଳ୍କ ଢାଞ୍ଚାକୁ ଦେଖି ଜିଏସଟି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ସମୟକୁ ସମୟ ଏହା ଉପରେ ଆଲୋଚନା କରାଯାଇ ଜିଏସ୍‌ଟି ବ୍ୟବସ୍ଥାରେ ଉନ୍ନତି ଅଣାଯାଇଛି ବୋଲି ସେ କହିଛନ୍ତି। ମୋଦୀ ଏହା ମଧ୍ୟ କହିଛନ୍ତି, ‌ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଦେଶରେ କେବଳ ୬୫ ଲକ୍ଷ ଉଦ୍ୟୋଗୀ ପଞ୍ଜୀକୃତ ଥିଲେ। ଏବେ ଏଥିରେ ୫୫ ଲକ୍ଷ ବୃଦ୍ଧି ଘଟିଛି। ଏଥିସହିତ ପ୍ରଧାନମନ୍ତ୍ରୀ ଦୁର୍ନୀତି ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଯେତେବେଳେ କମ୍ପାନି ଗୁଡ଼ିକ ଋଣ ପରିଶୋଧ କରିବାରେ ବିଫଳ ହୁଅନ୍ତି ସେତେବେଳେ ସେମାନଙ୍କର କିଛି ହୁଏ ନାହିଁ। କାରଣ ଆରମ୍ଭରୁ ହିଁ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କିଛି ସ୍ବତନ୍ତ୍ର ବ୍ୟକ୍ତି ସୁରକ୍ଷା ଯୋଗାଇଥାନ୍ତି। ଏଥିସହିତ ଗରିବ ପରିବାରଗୁଡ଼ିକୁ ଗ୍ୟାସ ସଂଯୋଗ ଯୋଗାଇବା ଲାଗି ତାଙ୍କ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୋଦୀ ସୂଚନା ଦେଇଛନ୍ତି। ୨୦୧୪ ସୁଦ୍ଧା ଦେଶରେ କେବଳ ୫୫ ପ୍ରତିଶତ ପରିବାର ପାଖରେ ଗ୍ୟାସ ସଂଯୋଗ ଥିଲା। ‌ତେବେ ବର୍ତ୍ତମାନର ସରକାର ଏକ ନୂଆ ଭାରତ ଗଠନ କରିବା ଲାଗି କାର୍ଯ୍ୟ ଜାରି ରଖିଛନ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର