ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ନେତ୍ରୀ ଶେହଲା ରସିଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ରାଷ୍ଟ୍ରସ୍ୱାର୍ଥରେ କାମ କରୁଥିବା ଜଣେ ନିଃସ୍ୱାର୍ଥପର ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି।

Advertisment

ଶେହଲା ରସିଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମାଲୋଚନାରେ ବ୍ୟସ୍ତ ନୁହଁନ୍ତି; ବରଂ ତାଙ୍କ ଲୋକପ୍ରିୟତା ମୂଲ୍ୟରେ ସେ କଠୋର ନିଷ୍ପତ୍ତି ନେଇଥାନ୍ତି।

ବର୍ତ୍ତମାନ ଆମେ ପ୍ରକୃତରେ ଏକ ସୁଚିନ୍ତିତ ପ୍ରଶାସନକୁ ଦେଖୁଛେ। ପ୍ରଧାନମନ୍ତ୍ରୀ ମୋଦୀ ସମାଲୋଚନା ବିଷୟରେ ଚିନ୍ତା କରନ୍ତି ନାହିଁ। ଲୋକପ୍ରିୟତାର ମୂଲ୍ୟରେ ମଧ୍ୟ ସେ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି। ସେ ସମାଲୋଚନାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ସେ ଜଣେ ନିଃସ୍ୱାର୍ଥପର ବ୍ୟକ୍ତି ଯିଏ କି ଜାତୀୟ ସ୍ୱାର୍ଥ ପାଇଁ କାମ କରନ୍ତି ବୋଲି ଶେହଲା ରସିଦ କହିଛନ୍ତି। ଏଥିସହ ସେ ମତ ରଖିଛନ୍ତି ଯେ ଯିଏ ଯାହା ସମାଲୋଚନା କଲେ ବି ସେ କଶ୍ମୀରରେ ଶାନ୍ତି ସୁନିଶ୍ଚିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶେହଲା ରସିଦ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରର ସ୍ୱୟଂଶାସିତ ମାନ୍ୟତା ପ୍ରତ୍ୟାହାର କରିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ।

ଜମ୍ମୁ-କଶ୍ମୀରରେ ହୋଇଥିବା ପରିବର୍ତ୍ତନକୁ ଏବେ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନୀତିକୁ ପ୍ରଶଂସା କରି ରସିଦ କହିଛନ୍ତି ଯେ ସେମାନେ ସେଠାରେ ବିଦ୍ରୋହ ଓ ଅନୁପ୍ରବେଶ ସମସ୍ୟାର ରାଜନୈତିକ ସମାଧାନ କରିଛନ୍ତି। ଏଥିପାଇଁ ମୁଁ ବର୍ତ୍ତମାନର ସରକାର, ବିଶେଷ କରି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଶ୍ରେୟ ଦେବାକୁ ଚାହୁଁଛି।