ନିରାପତ୍ତା ପରିଷଦ ପାଇଁ ଭାରତକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ?
ଭାରତର ଟିକା ପ୍ରସ୍ତୁତି କ୍ଷମତା ବିଶ୍ବକୁ ସଙ୍କଟରୁ ଉଦ୍ଧାର କରିପାରିବ

Advertisment

ନୂଆଦିଲ୍ଲୀ : ଗତ ୮/୯ ମାସ ହେଲା ସାରା ବିଶ୍ବ କରୋନା ଭୂତାଣୁ ସହ ସଂଘର୍ଷ କରୁଛି। ଏହି ସମୟରେ ଜାତିସଂଘ କେଉଁଠି ରହିଛି? ସମସ୍ତେ ମିଳିମିଶି ଏହାର ମୁକାବିଲା କରୁଥିବା ବେଳେ ଜାତିସଂଘ କଣ କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ। ଏହି ଘଟଣାରେ ଉଦ୍‌ବେଗ ଜଣାଇ ସେ କହିଛନ୍ତି ଯେ ଏଭଳି ଗୁରୁତର ସଙ୍କଟ ବେଳେ ଜାତିସଂଘ ନିଜକୁ ଦୂରେଇ ପାରିବ ନାହିଁ। ସେହିଭଳି ଜାତିସଂଘର ଢାଞ୍ଚାଗତ ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ପାଇଁ ମଧ୍ୟ ଦୃଢ଼ ଯୁକ୍ତି ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଜାତିସଂଘ ବ୍ୟବସ୍ଥା‌ରେ ଏକ ବଡ଼ ଧରଣର ସଂସ୍କାରର ଆବଶ୍ୟକତା ରହିଛି। ଏହି ପ୍ରକ୍ରିୟା କେବେ ସଂପୂର୍ଣ୍ଣ ହେବ? ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାରତର ଜନସାଧାରଣ ଜାତିସଂଘରେ ସଂସ୍କାରକୁ ଅପେକ୍ଷା କରିଛନ୍ତି। ଜାତିସଂଘର ଗୁରୁତ୍ବପୂର୍ଣ୍ଣ ନୀତି ନିର୍ଦ୍ଧାରଣରେ ନିର୍ଣ୍ଣାୟକ ଭୂମିକା ପାଇଁ ଭାରତକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ? ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ର ୭୫ତମ ଅଧିବେଶନକୁ ଆଜି ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ପ୍ରଶ୍ନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିବା ହୋଇଥିବା ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ୧୯୪୫ ପୂର୍ବରୁ ବିଶ୍ବ ବହୁତ ଅଲଗା ଥିଲା। ସେହି ସମୟ ଏବଂ ଆଜିର ସମୟରେ ବିରାଟ ପରିବର୍ତନ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ଢାଞ୍ଚାରେ ମଧ୍ୟ ବ୍ୟାପକ ପରିବର୍ତନର ଆବଶ୍ୟକତା ରହିଛି। ନହେଲେ ଜାତିସଂଘ ଅପ୍ରାସଙ୍ଗିକ ହୋଇପଡ଼ିବ।

ନିରାପତ୍ତା ପରିଷଦକୁ ସଂପ୍ର୍ରସାରଣ କରାଯାଇ ଏଥିରେ ଭାରତକୁ ସ୍ଥାୟୀ ପଦ ଦେବା ଲାଗି ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ଅନେକ ରାଷ୍ଟ୍ର ଭାରତକୁ ମଧ୍ୟ ଏଥିପାଇଁ ସମର୍ଥନ କରୁଛନ୍ତି। କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଥିବାରୁ ଏଥିରେ କ୍ଷୋଭ ପ୍ରକାଶ କରିବା ସହିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏଭଳି ଏକ ଦେଶ ଯେଉଁଠି ବିଶ୍ୱର ୧୮ ପ୍ରତିଶତରୁ ଅଧିକ ଜନସଂଖ୍ୟା ରହିଛି । ଯେଉଁ ଦେଶରେ ହେଉଥିବା ପରିବର୍ତ୍ତନର ପ୍ରଭାବ ବିଶ୍ବର ବହୁତ ବଡ଼ ଅଂଚଳରେ ପଡ଼ୁଛି, ସେହି ଦେଶକୁ ଆଉ କେତେ ଦିନ ଜାତିସଂଘରେ ନିର୍ଣ୍ଣାୟକ ଭୂମିକା ନେବାକୁ ଅପେକ୍ଷା କରିବାକୁ ହେବ? ଆମେ ପୂରା ବିଶ୍ୱକୁ ପରିବାର ଭାବେ ଗ୍ରହଣ କରୁଛୁ। ଭାରତ ବିଶ୍ୱ ଶାନ୍ତି ଦିଗରେ ନିଜର ସର୍ବାଧିକ ବୀର ସୈନିକଙ୍କୁ ହରାଇଛି। ଭାରତ ସର୍ବଦା ମାନବ ଜାତିର କଲ୍ୟାଣ ସଂପର୍କରେ ଚିନ୍ତା କରି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମହମାରୀର ଏହି ସଙ୍କଟ ସମୟରେ ଭାରତର ଫାର୍ମା ଇଣ୍ଡଷ୍ଟ୍ରିଗୁଡ଼ିକ ବିଶ୍ୱକୁ ଔଷଧ ପହଞ୍ଚାଇଛନ୍ତି। ଭାରତ ଟିକା ପ୍ରସ୍ତୁତ କରିବାର କ୍ଷମତା ଯେଭଳି ରଖୁଛି ତାହା ସମଗ୍ର ବିଶ୍ୱରୁ ଏହି ସଙ୍କଟରୁ ମୁକ୍ତି ଦେଇପାରିବ। ଆସନ୍ତା ବର୍ଷ ଜାନୁଆରିରୁ ଭାରତ ନିରାପତ୍ତା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ମଧ୍ୟ ନିଜ ଦାୟିତ୍ବ ନିର୍ବାହ କରିବ। ବିଶ୍ୱର ଅନେକ ରାଷ୍ଟ୍ର ଭାରତ ଉପରେ ଯେଉଁ ବିଶ୍ବାସ ରଖିଛନ୍ତି, ମୁଁ ସେଥିପାଇଁ ସମସ୍ତ ମିତ୍ର ରାଷ୍ଟ୍ରଙ୍କୁ କୃତଜ୍ଞତା ଜଣାଉଛି। ଭାରତ ମାତ୍ର ୪-୫ ବର୍ଷ ମଧ୍ୟରେ ୪୦ କୋଟି ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ଯୋଡ଼ିଛି ଏବଂ କେବଳ ଦୁଇ ୩ ବର୍ଷ ମଧ୍ୟରେ ୫୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇଛି। ଏହା ଏତେ ସହଜ ନଥିଲା। କିନ୍ତୁ ଭାରତ ଏହା କରି ଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।