ଧାରା ୩୭୦କୁ ଅସ୍ତ୍ର ଭାବେ ବ୍ୟବହାର କରି ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଥିଲା ପାକିସ୍ତାନ : ପ୍ରଧାନମନ୍ତ୍ରୀ ମୋଦୀ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଧାରା ୩୭୦ର ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରର ପୁର୍ନଗଠନ ବିଲ୍‌ ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ,ଏହା ଏକ ଐତିହାସିକ ପଦକ୍ଷେପ। ମୁଁ ଏଥିଲାଗି ଜମ୍ମୁ-କଶ୍ମୀର ଓ ଲଦାଖର ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହା ଦ୍ୱାରା ବହୁ ଦିନର ସ୍ୱପ୍ନ ଆଜି ସଫଳ ହୋଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌, ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱପ୍ନ ସାକାର ହୋଇଛି। ଧାରା ୩୭୦କୁ ପାକିସ୍ତାନ ଅସ୍ତ୍ର ଭାବେ ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଥିଲା। ୩୭୦ର ବିଲୋପ ଫଳରେ ଏଥିରୁ ମୁକ୍ତି ମିଳିଛି। ଏହା ଦ୍ୱାରା ଜମ୍ମୁ-କଶ୍ମୀର ବିକାଶ ଧାରାରେ ସାମିଲ ହୋଇ ସମଗ୍ର ଦେଶ ସହ ସମକକ୍ଷ ହୋଇପାରିବ।

ଏଥିସହ ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ ରଖି କିଛି ସମୟ ଲାଗି ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାରଙ୍କ ଅଧିନରେ ରଖାଯିବ। ଏହାପରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକେ ନିଜ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ନିଜ ପସନ୍ଦର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ। ଏଥିସହ କଶ୍ମୀରର ଯୁବପିଢ଼ି ନିଜକୁ ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ କରିବେ। ସେମାନେ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ।

କଶ୍ମୀର ଉପତ୍ୟକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ଲାଗି କେନ୍ଦ୍ର ସରକାର ଖାଲି ଥିବା ସମସ୍ତ ସରକାରୀ ପଦବୀକୁ ପୂରଣ କରିବେ। ଏଥିସହ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଜରିଆରେ ରୋଜଗାର ସୃଷ୍ଠି କରିବେ। ଏହା ଦ୍ୱାରା ଜମ୍ମୁ-କଶ୍ମୀରର ବିକାଶ ସମ୍ଭବ ହେବା ସହ ଆର୍ଥକ ମାନଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

New Indian Express

ନିଜ ଅଭିଭାଷଣରେ ପାକିସ୍ତାନକୁ ଆକ୍ଷେପ କରି ମୋଦୀ କହିଥଲେ, ଧାରା ୩୭୦କୁ ପାକିସ୍ତାନ ଅସ୍ତ୍ର ଭାବେ ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଥିଲା। ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନକୁ ଜମ୍ମୁ-କଶ୍ମୀରର ଦେଶଭକ୍ତ ନାଗରିକ କଡ଼ା ଜବାବ ଦେବେ ବୋଲି ମୁଁ ଆଶା କରୁଛି।

ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରବାସୀଙ୍କୁ ଇଦର ଶୁଭକାମନା ଜଣାଇଥିଲେ। ଏଥିସହ ସେ ମତ ରଖିଥିଲେ କି କଶ୍ମୀରର ଭାଇ-ଭଉଣୀମାନେ କିଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଇଦ ପାଳନ କରିପାରିବେ ତାର ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀ, ଅର୍ଦ୍ଧସାମରିକ ବଳ ଓ ସରକାରୀ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ସେ ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌ ସପକ୍ଷ ଓ ବିପକ୍ଷରେ ମତ ଦେଇଥିବା ସମସ୍ତ ରାଜନୈତିକ ଦଳକୁ ଧନ୍ୟବାଦ ଦେଇଥିଲେ। ଭୂସ୍ୱର୍ଗ କଶ୍ମୀରର ବିକାଶକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବା ଲାଗି ସେ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର