ନୂଆ ସଂସଦ ଭବନ ଲୋକାର୍ପଣ ପାଇଁ ଆରମ୍ଭ ହେଲା ହୋମ; ପୂଜାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା
ନୂଆଦିଲ୍ଲୀ: ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୭.୩୦ରେ ନୂଆ ସଂସଦ ଭବନରେ ହୋମ ଆରମ୍ଭ ହୋଇଛି। ହୋମରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା।
ନୂଆ ସଂଦଦ ଭବନ ଲୋକାର୍ପଣ କରିବା ଆଗରୁ ଦେବାଦେବୀଙ୍କୁ ଆବାହନ କରି ଆଶିଷ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ‘ଗଣପତି ହୋମ’ରେ ବସିଛନ୍ତି। ଏହି ହୋମରେ ବୈଦିକ ମନ୍ତ୍ରପାଠ କରୁଛନ୍ତି କର୍ଣ୍ଣାଟକର ଶ୍ରୀଙ୍ଗେରୀ ମଠରୁ ଆସିଥିବା ପୁରୋହିତମାନେ।
ସଂସଦ ଭବନ ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି ହୋମ ଆୟୋଜନ କରାଯାଇଛି।
ପ୍ରାୟ ଏକ ଘଣ୍ଟା ଧରି ଏହି ପୂଜାର୍ଚ୍ଚନା ଚାଲିବ। ପୂଜା ପରେ ପ୍ରଧାନମନ୍ତ୍ରୀ ‘ସେଙ୍ଗୋଲ୍’ ଗ୍ରହଣ କରି ତାହାକୁ ନୂଆ ସଂସଦରେ ସ୍ଥାପନା କରିବେ।

ଆଜି ନୂଆ ସଂସଦ ଭବନ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରମ୍ପରିକ ବେଶପୋଷାକ ସାଜି ୧ ନମ୍ବର ଫାଟକ ବାଟେ ସଂସଦ ପରିସରକୁ ପ୍ରବେଶ କରିଥିଲେ। ସେଠାରେ ତାଙ୍କୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ସ୍ବାଗତ କରିଥିଲେ।
ନୂଆ ସଂସଦ ଭବନ ଲୋକାର୍ପଣ ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ପରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ସହିତ ଯାଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଟୁଇଟ୍ କରି ଲେଖିଛନ୍ତି: ଆଜି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ମରଣୀୟ ଏବଂ ମୋ ପାଇଁ ଏକ ବିଶେଷ ଦିନ। ମୁଁ ହେଉଛି ଜଣେ ଭାଗ୍ୟବାନ ସାଂସଦ ଯିଏ, ପୁରୁଣା ସଂସଦ ଭବନରେ ଆୟୋଜିତ ଅଧିବେଶନରେ ଭାଗ ନେଇଥିଲି ଏବଂ ନୂଆ ସଂସଦ ଭବନରେ ମଧ୍ୟ କାର୍ଯ୍ୟ କରିବି।