ନୂଆଦିଲ୍ଲୀ: ଧିରେଧିରେ ତୁଟୁଛି ଭାରତ- ମାଳଦ୍ବୀପ ବିବାଦ । ସୁଧୁରିବାରେ ଲାଗିଛି ଭାରତ-ମାଳଦ୍ବୀପ ମଧ୍ୟରେ ସମ୍ପର୍କ । ଆଉ ଏହି ସମ୍ପର୍କ ସୁଧାରିବାରେ ବଡ ଭୂମିକା ନେଇଛି ମୋଦୀଙ୍କ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଗସ୍ତରେ ଆଜି ମାଳଦ୍ବୀପ ରାଜଧାନୀ ମାଲେରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆମନ୍ତ୍ରଣରେ ସେ ମାଳଦ୍ବୀପର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ଅବସରରେ ମୋଦୀ ଓ ମୁଇଜୁ ଚାରିଟି ଏମଓୟୁ ଓ ତିନିଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ୫୬୫ ମିଲିୟନ ଡଲାରର କ୍ରେଡିଟ ଲାଇନ ଅନ୍ତର୍ଭୁକ୍ତ । ଏହା ମାଳାଦ୍ବୀପର ବିକାଶ ପାଇଁ ବ୍ୟବହୃତ ହେବ । ବାଣିଜ୍ୟ, ସ୍ୱାସ୍ଥ୍ୟ, ମାଛ ଧରା ଓ ଫିନଟେକ କ୍ଷେତ୍ରରେ ୪ଟି ଏମଓୟୁ ହୋଇଛି । ୪,୦୦୦ ସାମାଜିକ ଆବାସ ଓ ଅନ୍ୟାନ୍ୟ ଭାରତ-ସମର୍ଥିତ ପ୍ରୋଜେକ୍ଟ ହସ୍ତାନ୍ତର ହୋଇଛି । ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଓ ବିନିଯୋଗ ସୁରକ୍ଷା ନେଇ ଆଲୋଚନା ମଧ୍ୟ ହୋଇଛି ।

Advertisment

ତେବେ ଏହି ଗସ୍ତ ଭାରତ-ମାଳଦ୍ବୀପ ସମ୍ପର୍କକୁ ଦୃଢ଼ କରିବ ଓ ‘ନେବରହୁଡ ଫାର୍ଷ୍ଟ’ନୀତିକୁ ପ୍ରୋତ୍ସାହନ ଦେବ । ଶୁକ୍ରବାର ମାଳଦ୍ୱୀପ ରାଜଧାନୀ ମାଲେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ମୋଇଜୁଙ୍କ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ମାଳଦ୍ୱୀପ ରାଷ୍ଟ୍ରପତି ମୋଇଜୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ ।

ସେପଟେ ସନ୍ଧ୍ୟାରେ ମାଲେରେ ରାଷ୍ଟ୍ରପତି ମୁଇଜୁ ଏବଂ ମୋଦୀ ଚାରା ରୋପଣ କରିଥିଲେ । ମାଙ୍କ ନାମରେ ଗୋଟିଏ ଗଛ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଦୁହେଁ ଗଛ ଲଗାଇଥିବା ବେଳେ ମାଳଦ୍ୱୀପ ସରକାର ୫ ମିଲିୟନ ବୃକ୍ଷରୋପଣର ପ୍ରତିଶ୍ରୁତି ଦେଇଛନ୍ତି ।