ମୋତିହାରୀ: ବିହାରରେ ୭,୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ଆର୍ଜେଡି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଏହି ଦୁଇ ଦଳ କେବଳ ରାଜ୍ୟବାସୀଙ୍କୁ ଲୁଟ୍ କରିବା ସହ ରାଜ୍ୟର ବିକାଶକୁ ଅଟକାଇଛନ୍ତି ବୋଲି ମୋଦୀ କହିଛନ୍ତି। ବିହାରର ମୋତିହାରୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିହାରରେ ୟୁପିଏ ଓ ଆର୍ଜେଡି ସରକାର ସମୟରେ ୧୦ ବର୍ଷରେ ମାତ୍ର ୨ ଲକ୍ଷ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ସେମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରୁ ପ୍ରତିଶୋଧ ନେଉଥିଲେ। ୨୦୧୪ରେ ଆପଣ ମୋତେ କେନ୍ଦ୍ରରେ ସେବା କରିବାର ସୁଯୋଗ ଦେଇଥିଲେ। କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ମୁଁ ବିହାର ବିରୋଧରେ ପ୍ରତିଶୋଧ ନେବାର ପୁରୁଣା ରାଜନୀତିର ଅନ୍ତ ଘଟାଇଛି।
ଜନକଲ୍ୟାଣ ଓ ବିକାଶ ପ୍ରକଳ୍ପ ପାଇଁ ବିହାରରେ ପର୍ଯ୍ୟାପ୍ତ ପାଣ୍ଠି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସମଗ୍ର ଦେଶରେ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିହାରର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ବିହାରରେ କାମ ଦ୍ରୁତଗତିରେ ଆଗକୁ ବଢ଼ିଛି ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, ଦୁଇ ଦଶନ୍ଧି ତଳେ ବିହାର କେତେ ଗଭୀର ଭାବରେ ନିରାଶାରେ ବୁଡ଼ି ରହିଥିଲା ତାହା ଆଜିର ପିଢ଼ି ବୁଝିବା ଜରୁରୀ। ଆର୍ଜେଡି ଓ କଂଗ୍ରେସ ଶାସନ କାଳରେ ବିକାଶ ବନ୍ଦ ହୋଇଯାଇଥିଲା ଏବଂ ଗରିବ ଲୋକମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ପାଇବା ପ୍ରାୟ ଅସମ୍ଭବ ଥିଲା। କ୍ଷମତାରେ ଥିବା ବ୍ୟକ୍ତିମାନେ କେବଳ ଗରିବଙ୍କ ପାଇଁ ଥିବା ପାଣ୍ଠିକୁ କିପରି ଲୁଟ୍ କରାଯିବ ସେଥିପ୍ରତି ଧ୍ୟାନ ଦେଉଥିଲେ। ଗରିବଙ୍କ ପାଇଁ ସେମାନଙ୍କ ଶାସନ କାଳରେ ଉପଯୁକ୍ତ ପକ୍କା ଘର ମିଳିବା ଅସମ୍ଭବ ଥିଲା।
ବିହାରରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ମଧ୍ୟ ବିହାରରେ ମହିଳାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ନୀତୀଶ କୁମାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜୀବିକା ଦିଦି ଯୋଜନା’ ବିହାରର ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପଥ ପ୍ରଶସ୍ତ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବିହାରର ମୋତିହାରୀ ସହରକୁ ମୁମ୍ବାଇ ଭଳି ଓ ଗୟାକୁ ଗୁରୁଗ୍ରାମ ପରି କରିବା ପାଇଁ ସେ ପ୍ରୟାସ କରିବେ। ଆମର ସଂକଳ୍ପ ହେଉଛି- ଏକ ସମୃଦ୍ଧ ବିହାର, ପ୍ରତ୍ୟେକ ଯୁବକଙ୍କ ପାଇଁ ରୋଜଗାର! ନୀତୀଶଙ୍କ ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ସରକାରରେ ଲକ୍ଷ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଏବଂ ନୀତୀଶଜୀ ନିକଟରେ ବିହାରର ଯୁବକମାନଙ୍କ ରୋଜଗାର ପାଇଁ ନୂଆ ସଂକଳ୍ପ ନେଇଛନ୍ତି। କେନ୍ଦ୍ର ସରକାର କାନ୍ଧରେ କାନ୍ଧ ମିଶାଇ ସେମାନଙ୍କୁ ସମର୍ଥନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୧୨,୦୦୦ ହିତାଧିକାରୀଙ୍କ ଗୃହପ୍ରବେଶର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଚାବି ହସ୍ତାନ୍ତର କରିଥିଲେ ଏବଂ ବିହାରରେ ଚାରିଟି ନୂତନ ଅମୃତ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।