ବାୟୁସେନା ପାଇଁ ୪୮ ହଜାର କୋଟି ମୂଲ୍ୟର ୮୩ଟି ତେଜସ୍ ବିମାନ ଖରିଦ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ : ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ଆଜି ପ୍ରାୟ ୪୮ ହଜାର କୋଟି ଟଙ୍କାର  ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏହା ଦ୍ବାରା ହାଲଠାରୁ ୭୩ଟି ତେଜସ ଲଢୁଆ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ ଖରିଦ କରାଯିବ । ଘରୋଇ ବଜାରରୁ ପ୍ରତିରକ୍ଷା ସାମଗ୍ରୀ ଖରିଦର ଏହା ସବୁଠୁ ବଡ଼ ଡିଲ ବୋଲି କୁହାଯାଉଛି ।

ଏହା ଦ୍ବାରା ଭାରତୀୟ ବାୟୁସେନାର ଲଢୁଆ ବିମାନ ଅଭାବ ଦୂର ହେବା ସହ ସରକାରଙ୍କ ‘ମେକ-ଇନ-ଇଣ୍ଡିଆ’ ଓ ଆତ୍ମ-ନିର୍ଭର ଭାରତ ଯୋଜନାକୁ ପ୍ରେତ୍ସାହନ ମିଳିବ ।

ଏ ସମ୍ପର୍କରେ ଟ୍ବିଟ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା  ନିରାପତ୍ତା ସମ୍ପର୍କିତ କ୍ୟାବିନେଟ୍ କମିଟି ଆଜି ୪୮ ହଜାର କୋଟି ମୂଲ୍ୟର ବୃହତ୍ତମ ସ୍ବଦେଶୀ ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ସବୁଜ ସଂକେତ ଦେଇଛି । ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଆତ୍ମ ନିର୍ଭର କରିବାରେ ଏହି ଡିଲ୍ ବେଶ ସହାୟକ ହେବ ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ବା ତେଜସ ଏକ ୪ର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ଦାବି କରୁଛି । ୨୦୨୬ ସୁଦ୍ଧା ଭାରତୀୟ ବାୟୁସେନାକୁ ୬୦ଟି ତେଜସ ଯୋଗାଣ ପାଇଁ ହାଲ ଚୁକ୍ତି କରିଛି ।

 

ସମ୍ବନ୍ଧିତ ଖବର