୩ଦିନିଆ ଗସ୍ତରେ ଯାଇ ଆମେରିକ‌ାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଭେଟିବେ

ୱାସିଂଟନ୍: ୩ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତ୍ୟୁଷରେ ୱାସିଂଟନ୍‌ ଡିସିରେ ପହଞ୍ଚିଛନ୍ତି। ଗୁରୁବାର ରାତି ୩.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଯାଇଥିବା ବିମାନ ୱାସିଂଟନ୍‌ସ୍ଥିତ ‘ଜଏଣ୍ଟ୍‌ ଆଣ୍ଡ୍ରିଉଜ୍‌ ଏୟାର୍‌ବେସ୍‌’ରେ ଅବରତଣ କରିଥିଲା।

ଯୁକ୍ତରାଷ୍ଟ୍ର ଆମେରିକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂହ ସାନ୍ଧୁଙ୍କ ସମେତ ଦୂତାବାସ ପ୍ରତିରକ୍ଷା ଦାୟିତ୍ବରେ ଥିବା ବ୍ରିଗେଡିୟର୍‌ ଅନୁପ ସିଙ୍ଗଲ୍, ଏୟାର୍ କମୋଡୋର୍‌ ଅଞ୍ଜନ ଭଦ୍ରା ଏବଂ ନେଭାଲ୍‌ କ‌ମୋଡର୍‌ ନିର୍ଭୟ ବପନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଛୋଟି ନେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ୱାସିଂଟନ୍‌ରେ ପହଞ୍ଚିଲା ବେଳେ ପ୍ରବଳ ବର୍ଷା ହେଉଥିଲା। ବର୍ଷା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ଭାରତୀୟମାନେ ଭାରତର ଜାତୀୟ ପତାକା ହଲାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆନ୍ତରିକ ସ୍ବାଗତ ଜଣାଇଥିବା ଉଲ୍ଲେଖଯୋଗ୍ୟସଂଖ୍ୟକ ଭାରତୀୟ ବଂଶୋଦ୍ଭବମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଅନ୍ତରଭରା ସ୍ବାଗତ ଜଣାଇଥିବାରୁ ୱାସିଂଟନ୍‌ ଡିସିରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି କୃତଜ୍ଞ। ଆମ ବଂଶୋଦ୍ଭବମାନେ ହିଁ ଆମର ଶକ୍ତି। ସମଗ୍ର ବିଶ୍ବରେ ଭାରତୀୟ ବଂଶୋଦ୍ଭବମାନେ ଯେଭଳି ପ୍ରସିଦ୍ଧି ଅର୍ଜନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ।

Image Courtesy of PM’s Twitter

‘ଏୟାର୍‌ବେସ୍‌’ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପେନ୍‌ସିଲ୍‌ଭେନିଆ ଆଭେନ୍ୟୁସ୍ଥିତ ହୋଟେଲ୍‌ ୱିଲାର୍ଡ ଅଭିମୁଖେ ଯାତ୍ରା କରିଥିଲା।

ଆଜି ‘ଆଇଜୁନ୍‌ହାୱାର୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସ୍‌ ବିଲ୍‌ଡିଙ୍ଗ୍‌’ରେ ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ସାକ୍ଷାତ୍‌ କରିବେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଚାଲିବ ବୋଲି ଆଶା କରାଯାଉଛି।

ଏହା ବ୍ୟତିରେକେ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ‘କ୍ବାଲକମ୍’, ‘ଆଡୋବ୍‌’, ‘ଫାଷ୍ଟ୍‌ ସୋଲାର୍‌’, ଜେନେରାଲ୍‌ ଆଟମିକ୍ସ୍‌’ ଏବଂ ‘ବ୍ଲାକ୍‌ଷ୍ଟୋନ୍‌’ ଆଦି ୫ଟି ପ୍ରମୁଖ କମ୍ପାନିର ‘ସିଇଓ’ମାନଙ୍କ ସହ ବୈଠକ କରିବେ। ଏହାପରେ ସେ ୱିଲାର୍ଡ ହୋଟେଲ୍‌ରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କୁ ଭେଟିବେ।

୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାସୀନ ହେବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ୭ମ ଆମେରିକା ଗସ୍ତ।

ସମ୍ବନ୍ଧିତ ଖବର