ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ; ପ୍ର‌ଥମେ ଭୋଟ୍‌ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଭାରତର ୧୬ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍‌ ଦାନ କେନ୍ଦ୍ରରେ ପହଞ୍ଚି ପ୍ରଥମେ ଭୋଟ୍‌ ଦେଇଛନ୍ତି। ତା’ପରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପହଞ୍ଚି ଭୋଟ୍‌ ଦେଇଥିଲେ।

ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଥିବାରୁ ପାର୍ଲାମେଣ୍ଟ୍‌ ଭିତରେ ଏବଂ ପାର୍ଲାମେଣ୍ଟ୍‌ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆଜି ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ। ଆଜିର ଭୋଟ୍‌ରେ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ବାଲଟ୍‌ ପେପର୍‌ର ରଙ୍ଗ ସବୁଜ ହୋଇଥିବା ବେଳେ ବିଧାୟକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବାଲଟ୍‌ ପେପର୍‌ର ରଙ୍ଗ ଗୋଲାପୀ। ଏହି ବାଲଟ୍‌ ପେପର୍‌ରେ ସାଂସଦ ଓ ବିଧାୟକମାନେ ଏକ ସ୍ବତନ୍ତ୍ର କଲମରେ ଭୋଟ୍‌ ଦେଉଛନ୍ତି।

ଆଜି ସକାଳେ ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଟୁଇଟ୍‌ କରି ଲେଖିଥିଲେ: ଆଜି ରାଷ୍ଟ୍ରପତି ନିର୍ବାଚନ। ମହାଦେବଙ୍କ ଆଶିଷ ମିଳିବ ବୋଲି ମୋର ବିଶ୍ବାସ। ହର ହର ମହାଦେବ।

Image Courtesy of India Today

ଭୋଟ୍‌ ଗ୍ରହଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମହାରାଷ୍ଟ୍ର ବିଧାନସଭାର ‘ଚିଫ୍‌ ହୁଇପ୍‌’ ଆଶିଷ ଶେଲାର୍‌ କହିଛନ୍ତି, ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ନିଶ୍ଚୟ ଜିଣିବେ। ମହାରାଷ୍ଟ୍ରରୁ ସେ ରେକର୍ଡ ପରିମାଣର ଭୋଟ୍‌ ପାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ରହିଛି।

ସେହିଭଳି, ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ବିଧାୟକମାନେ ଭୋଟ୍‌ ଦେଉଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଭୋଟ୍‌ ଦେଇଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଦେଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବି ଦେଶର ୧୬ଶ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ମତଦାନ କରିଛନ୍ତି।

ଆଙ୍ଗୁଠିକୁ ବିଜୟ ସଙ୍କେତ ଇଂରାଜୀ ବର୍ଣ୍ଣମାଳାର ‘ଭି’ ଅକ୍ଷର ପରି ଉଠାଇ ରଖି ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାରେ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ଭ‌ୋଟ୍‌ ଦେବା ନିମନ୍ତେ ଧାଡ଼ି ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର