ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ହେଲେ ଏବେ ଆଲୋଚନାର ପଥ ଖୋଲିଯାଇଛି। ଏହି ସମୟରେ ଆମେରିକା ନେତୃତ୍ୱରେ ଥିବା ୩୨ ରାଷ୍ଟ୍ର ବିଶିଷ୍ଟ ମେଣ୍ଟ ନାଟୋ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଜାରି କରିଛି। ନାଟୋ ସଚିବ ଜେନେରାଲ ମାର୍କ ରୁଟ୍ ଦାବି କରିଛନ୍ତି ଯେ, ଟ୍ରମ୍ପଙ୍କ ଶୁଳ୍କ ରୁଷ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ଏବଂ ଭାରତ ଏବେ ଫୋନ୍ କଲ୍ ମାଧ୍ୟମରେ ରୁଷ ସହିତ ଯୋଗାଯୋଗ କରୁଛି।
ମାର୍କ ରୁଟ୍ ଏକ ସାକ୍ଷାତକାର ସମୟରେ ଏହି ଦାବି କରି କହିଛନ୍ତି, "ଭାରତ ଉପରେ ଟ୍ରମ୍ପଙ୍କ ଶୁଳ୍କ ରୁଷ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି। ଫୋନ୍ କଲ୍ ମାଧ୍ୟମରେ ନୂଆଦିଲ୍ଲୀ ପୁଟିନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ୟୁକ୍ରେନ ଉପରେ ତାଙ୍କର ରଣନୀତି ସ୍ପଷ୍ଟ କରିବାକୁ ଅନୁରୋଧ କରୁଛନ୍ତି। କାରଣ ଶୁଳ୍କର ଛାଟ ଭାରତକୁ ମଧ୍ୟ ପ୍ରଭାବିତ କରୁଛି।"
ଉଲ୍ଲେଖଯୋଗ୍ୟ, ଭାରତ ରୁଷଠାରୁ ତେଲ କିଣୁଛି। ଏହି କାରଣରୁ ଟ୍ରମ୍ପ ଭାରତ ଉପରେ ରାଗ ରଖି ୫୦% ଶୁଳ୍କ ଲାଗୁ କରିଛନ୍ତି। ଭାରତ, ରୁଷ୍ଠାରୁ ତେଲ କିଣି ରୁଷ୍କୁ ଯୁକ୍ରେନ ସହ ଯୁଦ୍ଧ କରିବାକୁ ପାଣ୍ଠି ଯୋଗାଉଥିବା ଦାବି କରିଆସୁଛି ଆମେରିକା। ଗତ ମାସରେ ଭାରତ ଉପରେ ଆମେରିକା ୫୦% ଶୁଳ୍କ ଲାଗୁ କରିଥିବା ବେଳେ ଆଜି ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ଟ୍ରମ୍ପ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ’ରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ସେ ଔଷଧ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରାଯାଉଛି। ତେବେ ଟ୍ରମ୍ପଙ୍କ ଏହି ପଦକ୍ଷେପ ପ୍ରମୁଖ ଭାରତୀୟ ଔଷଧ ନିର୍ମାତାମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି।
tarrif | donald-trump