ବେଲୁର ମଠରେ ରାତ୍ରୀଯାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲ୍‌କାତା: ଦୁଇ ଦିନିଆ ଗସ୍ତରେ ଆସି ଶନିବାର ଦିନ କୋଲ୍‌କାତାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଓଡ଼ା ଜିଲ୍ଲାରେ ଅବସ୍ଥିତ ବେଲୁର ମଠରେ ରାତ୍ରୀଯାପନ କରିଛନ୍ତି। ବେଲୁର ମଠ ହେଉଛି ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିସନ୍‌ର ମୁଖ୍ୟାଳୟ।

ତରୁଣ ବୟସରେ ରାମକୃଷ୍ଣ ମିସନ୍‌ର ଜଣେ ସନ୍ନ୍ୟାସୀ ହେବାକୁ ପ୍ରଧାମନ୍ତ୍ରୀ ମୋଦୀ ମନ ବଳାଇଥିଲେ କିନ୍ତୁ, ମିସନ୍‌ର ପୂର୍ବତନ ଅଧ୍ୟକ୍ଷ ସ୍ୱାମୀ ଆତ୍ମସ୍ଥନନ୍ଦ ତାଙ୍କୁ ଜନସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ବେଲୁର ମଠରେ ରାତ୍ରୀଯାପନ କରିବାକୁ ପ୍ରଧାନମନ୍ତ୍ରୀ ଇଚ୍ଛାବ୍ୟକ୍ତ କରିବାରୁ ତାଙ୍କୁ ସେଠାକାର ଆନ୍ତର୍ଜାତିକ ଅତିଥି ଗୃହରେ ରଖାଯାଇଥିଲା। ସେଥିପାଇଁ ଅତିଥି ଭବନରେ ଏସ୍‌ପିଜି ଏବଂ ରାଜ୍ୟ ପୁଲିସ କର୍ମଚାରୀମାନେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା କରିଥିଲେ।

ଗଙ୍ଗାନଦୀରେ ଗୋଟାଏ ଲଞ୍ଚ୍‌ ଯୋଗେ ପ୍ରଧାନମନ୍ତ୍ରୀ ସେଠାକୁ ଯାଇଥିଲେ। ପାଞ୍ଚ ପ୍ରକାର ଭାଜି, ଲୁଚି, ଚାଉଳ ଖିରି, ମିଷ୍ଟାନ୍ନ ଏବଂ ଫଳ ଆଦି ପ୍ରସାଦ ତାଙ୍କୁ ପରଷା ଯାଇଥିଲା।

Image Source: ANI

ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ମୋଦୀଙ୍କର ଦ୍ୱିତୀୟ ବେଲୁର ମଠ ଦର୍ଶନ।

୨୦୧୫ ମସିହା ମେ ୧୦ ତାରିଖ ସକାଳେ ଅତ୍ୟନ୍ତ ଭାବବିହ୍ଵଳ ହୋଇ ମୋଦୀ ବେଲୁର ମଠରେ କିଛି ଘଣ୍ଟା ଜପତପ କରିଥିଲେ। କେବଳ ତାଙ୍କରି ଅନୁରୋଧକ୍ରମେ ଖୋଲାଯାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଶୟନ କକ୍ଷକୁ ଯାଇ ସେ ଧ୍ୟାନରେ ବସିଥିଲେ।

ମିସନ୍‌ର ଅଧ୍ୟକ୍ଷ ସ୍ୱାମୀ ଶାରଦାନନ୍ଦଙ୍କୁ ମଧ୍ୟ ସେ ଗତକାଲି ଭେଟିଥିଲେ।

ରବିବାର ସକାଳେ ପ୍ରଧାମନ୍ତ୍ରୀ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ବ୍ରହ୍ମାର୍ତିରେ ଅଂଶଗ୍ରହଣ କରିବା ପରେ ସେ ସନ୍ଥମାନଙ୍କ ସହ କିଛି ସମୟ ଅତିବାହିତ କରିବେ। ଏହାପରେ ସେ ନେତାଜୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଯାଇ କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍ର ୧୫୦ତମ ବାର୍ଷିକୀ ପାଳନ ଉତ୍ସବରେ ଯୋଗ ଦେବେ।

ସମ୍ବନ୍ଧିତ ଖବର