ପୁଲୱାମା ହମଲା: ପ୍ରଧାନମନ୍ତ୍ରୀ ମୋଦୀ କହିଲେ; ସହିଦଙ୍କୁ ନେଇ ରାଜନୀତି କରୁଥିଲେ ବିରୋଧୀ, ମୁଖା ଖୋଲିଦେଲେ ପଡ଼ୋଶୀ

ଅହମ୍ମଦାବାଦ: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି ଠାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଆଜି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପୁଲୱାମା ହମଲାକୁ ପ୍ରସଙ୍ଗ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପୁଲୱାମା ଆତଙ୍କବାଦୀ ହମଲା ପ୍ରସଙ୍ଗରେ କଂଗ୍ରେସର ନାମ ନନେଇ ବିରୋଧୀଙ୍କ ଉପରେ ବଡ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଆତଙ୍କୀ ହମଲା ପରେ ନେତା କଳା କୌଶଳ ଦେଖାଇ ସରକାରଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଶ୍ନବାଣ ଛାଡୁଥିଲେ । ହେଲେ ପଡୋଶୀ ଦେଶରୁ ଯେଉଁ ଖବର ଆସିଲା, ତାହା ସେହି ଦଳଗୁଡିକର ମୁଖା ଖୋଲିଦେଲା ।

ସେହିପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦାହରଣ ଦେଇ ଦେଶର ରାଜନୈତିକ ଦଳଗୁଡ଼ିକୁ ଜାତୀୟ ସୁରକ୍ଷାକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଚୀନ ସହ ଲଦ୍ଦାଖ ସୀମାରେ ମୁହାମୁହିଁ ପ୍ରସଙ୍ଗକୁ ନେଇ ଗୁଜରାଟରୁ ଡ୍ରାଗନକୁ କଡା ଚେତାବନୀ ଦେଇଛନ୍ତି ମୋଦୀ । କହିଛନ୍ତି ଭାରତକୁ କେହି ନାଲି ଆଖି ଦେଖାଇ ପାରିବ ନାହିଁ ଆଉ ଯିଏ ଏଇ ଦୁଃସାହାସ କରିବ ତାକୁ ମୁହଁତୋଡ ଜବାବ ଦିଆଯିବ ।

ସେହିପରି ପାକିସ୍ତାନର ନାମ ନନେଇ ଫ୍ରାନ୍ସ କାର୍ଟୁନ ବିବାଦକୁ ନେଇ କଡା ଟିପ୍ପଣୀ କରିଛନ୍ତି ପ୍ରଧାନମନ୍ତ୍ରୀ । ପାକିସ୍ତାନ ସଂସଦରେ ମନ୍ତ୍ରୀ ଫୱାଦ ଚୌଧୁରୀ ପୁଲୱାମା ହମଲା ଇମ୍ରାନ ସରକାରଙ୍କ କାମ ବୋଲି ଗର୍ବର ସହ କହିଥିଲେ । ପଡୋଶୀର ସ୍ୱୀକାରୋକ୍ତି ପରେ ପଟେଲଙ୍କ ଜନ୍ମଜୟନ୍ତୀରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧିତ ଖବର