ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଶାନ୍ତି ରକ୍ଷା ପାଇଁ ନିବେଦନ

ସେନା ମୁତୟନ ଦାବି କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଦିଲ୍ଲୀବାସୀ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଶାନ୍ତି ଓ ସୌହାର୍ଦ୍ଦ୍ୟ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିଲ୍ଲୀର ଭାଇ , ଭଉଣୀମାନଙ୍କୁ ସବୁ ସମୟରେ ଶାନ୍ତି ବଜାୟ ରଖିବାପାଇଁ ଅନୁରୋଧ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଯେଉଁ ସ୍ଥିତ ଲାଗି ରହିଛି ତା’ର ସମୀକ୍ଷା କରାଯାଉଛି ଏବଂ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥା ଅହରହ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲୋକଙ୍କୁ ଆଶ୍ବସ୍ତ କରିଛନ୍ତି।

ସେନା ମୁତୟନ ଦାବି କଲେ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀରେ ଦଙ୍ଗା ସ୍ଥିତି ଅଣାୟତ୍ତ ହୋଇ ପଡ଼ିଲାଣି। ଦିଲ୍ଲୀ ପୁଲିସ ଦଙ୍ଗା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ତୁରନ୍ତ ଏଠାରେ ସେନା ମୁତୟନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ସେହିଭଳି ଦଙ୍ଗାରେ ଉଭୟ ହିନ୍ଦୁ ଓ ମୁସଲମାନ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି। ଦଙ୍ଗା କ୍ଷତିଗ୍ରସ୍ତ ଅଞ୍ଚଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିଜ ଦଳର ବିଧାୟକମାନଙ୍କୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀବାସୀ କେବେ ଦଙ୍ଗା ଚାହାନ୍ତି ନାହିଁ। ଦିଲ୍ଲୀବାସୀ ଶାନ୍ତି ଚାହାନ୍ତି ବୋଲି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି। ବାହାରର ଅସାମାଜିକ ଗୋଷ୍ଠୀ ଏଠାରେ ଦଙ୍ଗା ସୃଷ୍ଟି କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର