ନୂଆଦିଲ୍ଲୀ: ରବିବାର ଦିନ ପଦ୍ମ ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଲୋକଙ୍କଠାରୁ ସାହାଯ୍ୟ ମାଗିଛନ୍ତି । ସେ କହିଛନ୍ତି କି ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ ଅସାଧାରଣ କାମ କରିଥିବା ଲୋକଙ୍କ ନାମ ମନୋନିତ କରାଯାଉ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, “ଭାରତରେ ବହୁ ପ୍ରତିଭାଶାଳୀ ଲୋକ ରହିଛନ୍ତି, ଯେଉଁମାନେ କି ତୃଣମୂଳ ସ୍ତରରେ ବହୁ ଅସାଧାରଣ କାର୍ଯ୍ୟ କରୁଛନ୍ତି । ଯଦି ଆପଣ ସେଭଳି ଲୋକଙ୍କୁ ଜାଣିଛନ୍ତି ତେବେ ତାଙ୍କ ନାମ ପଦ୍ମ ପୁରସ୍କାର ପାଇଁ ମନୋନିତ କରିପାରିବେ” । ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଖୋଲା ରହିବ ବୋଲି ଜଣାପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ, ଜୁନ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି ପଦ୍ମ ପୁରସ୍କାରକୁ “ଜନତାର ପଦ୍ମ”ରେ ବଦଳାଇବାକୁ ଚାହୁଁଛନ୍ତି । ଏହାସହ ସବୁ ନାଗରିକଙ୍କୁ ପ୍ରତିଷ୍ଠିତ ସମ୍ମାନ ପାଇଁ ନୋମିନେସନ ଓ ସେଲ୍ଫ ନୋମିନେସନ କରିବାକୁ କୁହାଯାଇଥିଲା । ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ୨୦୨୨ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ପାଇବାକୁ ଥିବା ନାଗରିକଙ୍କ ନାମ ଘୋଷଣା କରାଯିବ । ଏନେଇ ନୋମିନେସନ ଓ ସୁପାରିଶ କରିବାକୁ ଅନଲାଇନ ୱେବ୍ ସାଇଟ ଖୋଲା ରହିଛି, ଯାହାର ଅନ୍ତିମ ତାରିଖ ଭାବେ ୧୫ ସେପ୍ଟେମ୍ବର ୨୦୨୧ ରଖା ଯାଇଛି ।

୨୦୧୪ ମସିହାରୁ କେନ୍ଦ୍ର ସରକାର ଦେଶର ଅନେକ ନାଗରିକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଆସୁଛନ୍ତି। ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ମନ୍ତ୍ରାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ସରକାରମାନଙ୍କୁ ଅନୁରୋଧ କରିଛନ୍ତି କି ମହିଳା, ସମାଜର ତଳ ଶ୍ରେଣୀର ଲୋକ, ଏସସି ଓ ଏସଟିଙ୍କ ମଧ୍ୟରୁ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ନାମକୁ ପୁରସ୍କାର ପାଇଁ ଚୟନ କରାଯାଉ ।