ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସେ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଦେଶରେ କରୋନା ସ୍ଥିତି ଗମ୍ଭୀର ହେଉଥିବାରୁ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ। ଏହି କାରଣରୁ ସେ ନିଜର ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଛନ୍ତି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଉ ୨ଟି ପର୍ଯ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବାକ ୨ ପର୍ଯ୍ୟାୟ ପାଇଁ ତାଙ୍କର ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ଜନସଭା ଓ ରୋଡ ସୋ’କୁ ସେ ବାତିଲ କରିଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟରେ ଲେଖିଛନ୍ତି , ‘‘ଆସନ୍ତାକାଲି କୋଭିଡ ସ୍ଥିତିର ସମୀକ୍ଷା ଲାଗି ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବି। ସେହି କାରଣ ଯୋଗୁ ମୁଁ ପଶ୍ଚିମବଙ୍ଗ ଯିବି ନାହିଁ।’’
Tomorrow, will be chairing high-level meetings to review the prevailing COVID-19 situation. Due to that, I would not be going to West Bengal.
— Narendra Modi (@narendramodi) April 22, 2021
ତେବେ ଦେଶରେ ପ୍ରଥମେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଅମ୍ଲଜାନର ଅଭାବ ଏବଂ ଡାକ୍ତରଖାନାରେ ଶଯ୍ୟାର ଅଭାବ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କିଛି କରୋନା ରୋଗୀଙ୍କୁ ଠିକ ସମୟରେ ଅମ୍ଲଜାନ ମିଳୁ ନଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି। ଅମ୍ଲଜାନ ଏବଂ ଶଯ୍ୟା ଅଭାବରୁ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିବା ନେଇ ଦେଶର ବିଭିନ୍ନ କୋଣରୁ ଖବର ଆସୁଛି। ଦେଶର ଏଭଳି ସ୍ଥିତି ଦେଖି ଆସନ୍ତାକାଲି ନିର୍ବାଚନ ରାଲିରେ ଯୋଗ ଦେବା ପରିବର୍ତ୍ତେ ଉଚ୍ଚସ୍ତରୀୟ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ।