ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ଟିକାକରଣର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଏନେଇ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଗତ ୨୪ଘଣ୍ଟା ମଧ୍ୟରେ କେବଳ ୮ଟି ରାଜ୍ୟରୁ ୮୧.୪୨ ପ୍ରତିଶତ ସଂକ୍ରମଣ ରିପୋର୍ଟ କରାଯାଇଛି। ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ, ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶ। ଆଜି ୯୩,୨୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୧୯, ୨୦୨୦ରେ ସର୍ବାଧିକ ଆକ୍ରାନ୍ତ(୯୩,୩୩୭) ଚିହ୍ନଟ ହୋଇଥିଲେ।
ଦିଲ୍ଲୀର ଏମ୍ସର ମୁଖ୍ୟ ତଥା ସରକାରଙ୍କ କୋଭିଡ ଟାସ୍କ ଫୋର୍ସର ଜଣେ ବରିଷ୍ଠ ସଦସ୍ୟ ଡାକ୍ତର ରଣଦୀପ ଗୁଲେରିଆ ବୈଠକରେ କହିଛନ୍ତି ଯେ, କଣ୍ଟେନମେଣ୍ଟ ଜୋନ୍, ଲକଡାଉନ୍ ଅଞ୍ଚଳ, ପରୀକ୍ଷଣକୁ ତ୍ବରାନ୍ବିତ କରିବା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି। ଏହା ସହ ଏବେ ଅଧିକ ଜିନୋମ ସିକ୍ୟୁଏନସିଙ୍ଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
/sambad/media/post_attachments/777a12ad4ff68686e9c712627bcb50d32eb6155dd645d13e587516f76738dab7.jpg)
ତେବେ ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ସହିତ ଜନସାଧାରଣଙ୍କୁ କଟକଣା ମାନିବା ନେଇ ସତର୍କ କରାଇବାକୁ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି। । ଲୋକେ କଟକଣା ମାନୁନଥିବାରୁ ଏବେ ଦେଶରେ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ର ରାଜ୍ୟମାନଙ୍କୁ ଟେଷ୍ଟ-ଟ୍ରାକ-ଟ୍ରିଟ ବ୍ୟବସ୍ଥା ଅନୁସରଣ କରିବା ସହ ଏହାକୁ ତ୍ବରାନ୍ବିତ କରିବାକୁ କହିଛି।