‌ଆଜି ମୋଦୀ-ଜିନ୍‌ପିଙ୍ଗ୍‌ ଭେଟ, ତାମିଲନାଡ଼ୁରେ ବ୍ୟାପକ ପ୍ରସ୍ତୁତି

ହଂକଂ, ଦକ୍ଷିଣ ଚୀନ୍‌ ସାଗର ପ୍ରସଙ୍ଗ ଉଠାଉ ଭାରତ

ମମଲ୍ଲାପୁରମ୍‌: ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍ ଆସନ୍ତାକାଲିଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦ୍ବିତୀୟ ଶିଖର ସମ୍ମିଳନୀ ହେବ। ତାମିଲନାଡ଼ୁର ମମଲ୍ଲାପୁରମ୍‌ରେ ହେବାକୁ ଥିବା ଏହି ଅନୌପଚାରିକ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରାଚୀନ ଉପକୂଳ ସହର ମମଲ୍ଲାପୁରମ୍‌ ଏବେ ଏକ ଦୁର୍ଗରେ ପରିଣତ ହୋଇଛି। ସୁରକ୍ଷା କଡ଼ାକଡ଼ି କରାଯିବା ସହ ସହରର ସୌନ୍ଦର୍ଯ୍ୟକରଣ ଦିଗ‌ରେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ହୋଇଛି। ୫,୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ତାମିଲନାଡ଼ୁର ବିଭିନ୍ନ ଜିଲ୍ଲାର ପୁଲିସ ଅଧିକାରୀଙ୍କୁ ମମଲ୍ଲାପୁରମ୍‌ରେ ସୁରକ୍ଷା ପାଇଁ ମୁତୟନ କରାଯାଇଛି। ଦୁଇ ରାଷ୍ଟ୍ରନେତାଙ୍କ ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ଫାଣ୍ଡି ପ୍ରତିଷ୍ଠା କରାଯାଇଛି। କେବଳ ମମଲ୍ଲାପୁରମ୍‌ ନୁହେଁ ‌ଚେନ୍ନାଇ ବିମାନବନ୍ଦରକୁ ମଧ୍ୟ ସୁସଜ୍ଜିତ କରାଯାଇଛି। ବିମାନବନ୍ଦରକୁ ପାରମ୍ପରିକ ଢଙ୍ଗରେ କଦଳୀ ପତ୍ର, ଫୁଲ ଏବଂ ଫଳରେ ସଜାଯାଇଛି। ମୋଦୀ, ଜିନ୍‌ପିଙ୍ଗ୍‌ଙ୍କୁ ସ୍ବାଗତ କରିବାପାଇଁ ଚେନ୍ନାଇ ବିମାନବନ୍ଦରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିମାନବନ୍ଦରରେ ମଧ୍ୟ ଦେବୀ ମିନାକ୍ଷୀଙ୍କର ଏକ ୮ଫୁଟ୍‌ର ପ୍ରସ୍ତର ମୂର୍ତ୍ତି ଅସ୍ଥାୟୀ ଭାବେ ସ୍ଥାପନ କରାଯାଇଛି। ପ୍ରାୟ ୨୦୦୦ରୁ ଅଧିକ ସ୍କୁଲ୍‌ ଛାତ୍ରଛାତ୍ରୀ ଜିନ୍‌ପିଙ୍ଗ୍‌ଙ୍କ ମାସ୍କ ପିନ୍ଧି ତାଙ୍କୁ ସ୍ବାଗତ କରିବେ। ଯେଉଁ ରାସ୍ତା ଦେଇ ଦୁଇ ରାଷ୍ଟ୍ର ନେତା ଗସ୍ତ କରିବେ ସେହି ରାସ୍ତାରେ ଥିବା ସମସ୍ତ କୋଠାଗୁଡ଼ିକୁ ସରକାରୀ ଖର୍ଚ୍ଚରେ ଧଳା ରଙ୍ଗ ଲଗାଯାଇଛି। ଉଲ୍ଲେଖଯୋଗ୍ୟ ଜିନ୍‌ପିଙ୍ଗ୍‌ ଏବଂ ମୋଦୀଙ୍କ ମଧ୍ୟରେ ଦ୍ବିତୀୟ ଅନୌପଚାରିକ ସମ୍ମିଳନୀ ହେବ । ପ୍ରଥମ ଅନୌପଚାରିକ ସମ୍ମିଳନୀ ଚୀନ୍‌ର ଉହାନ୍‌ରେ ଗତ ବର୍ଷ ଏପ୍ରିଲ ୨୭ ଏବଂ ୨୮ ତାରିଖରେ ହୋଇଥିଲା। ଆସନ୍ତାକାଲି ଅପରାହ୍ନ ୪ଟାରେ ଜିନ୍‌ପିଙ୍ଗ୍‌ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବାପରେ ତାଙ୍କୁ ତାମିଲନାଡ଼ୁ ରାଜ୍ୟପାଳ ବନୱରିଲାଲ୍‌ ପୁରୋହିତ, ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ଏବଂ ଅନ୍ୟ ପ୍ରମୁଖ ନେତାମାନେ ସ୍ବାଗତ କରି ପାଛୋ‌ଟି ନେବେ।

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଚୀନ୍‌ ପାକିସ୍ତାନର ନୀତିକୁ ଦୃଢ଼ ସମର୍ଥନ କରୁଥିବାରୁ କଂଗ୍ରେସ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଛି। ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ସିଧାସଳଖ ପାକିସ୍ତାନ ସମର୍ଥନରେ ବୟାନ ଦେଇଥିବାରୁ ଭାରତ ଏହାକୁ କାହିଁକି ଜୋର୍‌ଦାର ବିରୋଧ କରୁନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଚୀନ୍‌ ରାଷ୍ଟ୍ରପତି ‘ଆମେ କଶ୍ମୀର ଉପରେ ଦୃଷ୍ଟି ରଖିଛୁ ଏବଂ ପାକିସ୍ତାନର ସ୍ବାର୍ଥର ସୁରକ୍ଷା କରିବୁ’ ବୋଲି କହିଥିବାରୁ ଏହାର ଜବାବ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ‘ଆମେ ହଂକଂ ଏବଂ ଦକ୍ଷିଣ ଚୀନ୍‌ ସାଗର ଉପରେ ଦୃଷ୍ଟି ରଖିଛୁ’ ବୋଲି କହୁନାହାନ୍ତି ବୋଲି କଂଗ୍ରେସ କହିଛି। ଚୀନ୍‌ ରାଷ୍ଟ୍ରପତି ଆସନ୍ତାକାଲି ଭାରତ ଗସ୍ତରେ ଆସିବା ପୂର୍ବରୁ କଂଗ୍ରେସ ଏଭଳି ପ୍ରତିକ୍ରିୟା ଦେଇଛି। କଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ ମାମଲା। ଚୀନ୍‌ ଏଥିରେ ବାରମ୍ବାର ହସ୍ତକ୍ଷେପ କରିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଚୁପ୍‌ ରହୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ମନିଷ୍‌ ତିୱାରୀ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଚୀନ୍‌ ଗସ୍ତରେ ଯାଇଥିବା ବେଳେ ଚୀନ୍‌ ରାଷ୍ଟ୍ରପତି ପାକିସ୍ତାନକୁ ସାନ୍ତ୍ବନା ଦେବାକୁ ଯାଇ କଶ୍ମୀର ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଥିଲେ। ଭାରତ ହଂକଂ ଏବଂ ଦକ୍ଷିଣ ଚୀନ୍‌ ସାଗର ମାମଲା ଉଠାଇବା ଉଚିତ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏ ଦିଗରେ ତତ୍ପରତାର ସହ କାର୍ଯ୍ୟ କରବାକୁ ତିୱାରୀ କହିଛନ୍ତି।

ସମ୍ବନ୍ଧିତ ଖବର