ନୂଆଦିଲ୍ଲୀ: ହିମାଚଳରେ ହାହାକାର ସ୍ଥିତି । ଆକାଶ ମାର୍ଗରୁ ବନ୍ୟା ଓ ଭୂସ୍ଖଳନର ସ୍ଥିତି ଅନୁଧ୍ଯାନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଭାବିତଙ୍କ ସହ କଲେ ଆଲୋଚନା । ବନ୍ୟାରେ ଯେତେବେଳେ ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ପ୍ରଭାବିତ ହୋଇଛି ଠିକ୍ ସେତେବେଳେ ସ୍ଥିତିର ଅନୁଧ୍ଯାନ କରିଛନ୍ତି ମୋଦୀ । ଆକାଶମାର୍ଗରୁ ଉଭୟ ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ବନ୍ୟା ସ୍ଥିତି ଅନୁଧ୍ଯାନ କରିଛନ୍ତି । ପ୍ରଥମେ ଆକାଶ ମାର୍ଗରୁ ହିମାଚଳ ପ୍ରଦେଶର ସ୍ଥିତି ସମୀକ୍ଷା ପରେ ପଞ୍ଜାବର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୋଦୀ । ଆଉ ହିମାଚଳ ପ୍ରଦେଶର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ ଦେଖି ପ୍ରଧାନମନ୍ତ୍ରୀ ଦେଢ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

Advertisment

ମୋଦୀ ହିମାଚଳ ପ୍ରଦେଶ ପାଇଁ ପ୍ୟାକେଜ ଘୋଷଣା କରିବା ସହ ବନ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଭାବିତଙ୍କ ସହ କଥା ହୋଇ ଦୁଃଖ ବୁଝିଛନ୍ତି ମୋଦୀ । ମୁଖ୍ଯମନ୍ତ୍ରୀଙ୍କ ସହ ବୈଠକ କରି ପୂରା ରାଜ୍ୟର ଖବର ନେଇଛନ୍ତି । ଆଉ ନିଜ ସୋସିଆଲ୍ ମିଡିଆ ଲେଖିଛନ୍ତି, ' ହିମାଚଳ ପ୍ରଦେଶର ଏହି କଷ୍ଟକର ସମୟରେ ଆମେ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଜାରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ।'

ତେବେ ହିମାଚଳ ପ୍ରଦେଶକୁ ଦେଢ଼ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ସହିତ, କେନ୍ଦ୍ର ସରକାରଙ୍କ SDRF ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ୱିତୀୟ କିସ୍ତି ମଧ୍ୟ ଆଗୁଆ ଜାରି କରାଯିବ । ଏହାସହ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପୁନଃନିର୍ମାଣ କରାଯିବ ।

ଜାତୀୟ ରାଜପଥ ମରାମତି କରାଯିବ, ସ୍କୁଲଗୁଡ଼ିକ ପୁନଃନିର୍ମାଣ କରାଯିବ । ଏହା ସହିତ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ଅଧୀନରେ ମଧ୍ୟ ସାହାଯ୍ୟ ମିଳିବ । ପଶୁପାଳନ ପାଇଁ ମିନି କିଟ୍ ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଏହାସହ ବିଶେଷକରି ଯେଉଁ ଚାଷୀମାନଙ୍କର ବର୍ତ୍ତମାନ ବିଦ୍ୟୁତ ସଂଯୋଗ ନାହିଁ ସେମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, କ୍ଷତିଗ୍ରସ୍ତ ଘରଗୁଡ଼ିକର ଜିଓଟ୍ୟାଗିଂ କରାଯିବ । ଏହା କ୍ଷୟକ୍ଷତିର ସଠିକ୍ ମୂଲ୍ୟାଙ୍କନ ଏବଂ ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ପ୍ରଦାନ କରିବାରେ ସାହାଯ୍ୟ କରିବ ।

ସେପଟେ ହିମାଚଳ ପ୍ରଦେଶ ପରେ ପଞ୍ଜାବ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ପଞ୍ଜାବରେ ପାଣି କେତେ ମାତ୍ରାରେ ପ୍ରଳୟ ରଚିଛି ତାହା ଦେଖିଛନ୍ତି ମୋଦୀ । ଏଥିସହ ଗୁରୁଦାସପୁରରେ ବନ୍ୟା ପ୍ରଭାବିତଙ୍କ ସହ କଥା ହୋଇ ଫସଲ ନଷ୍ଟ ବାବଦରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ତାସହ ଏନଡିଆରଏଫ, ଏସଡିଆରଏଫ ସଦସ୍ୟଙ୍କ ସହ ଉଦ୍ଧାର କାମ ନେଇ କଥା ହୋଇଛନ୍ତି ମୋଦୀ ।