ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରିନେବା ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏସଂପର୍କରେ ଯାହା ବି କିଛି ନିଷ୍ପତ୍ତି ନିଆଯିବ, ସେ ସବୁ କେବଳ ମାତ୍ର ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ (ପିସିଆଇ) ହିଁ ନେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରି ଦେଇଛନ୍ତି।
#FLASH: Prime Minister has directed that the press release regarding fake news be withdrawn and the matter should only be addressed in Press Council of India. pic.twitter.com/KVUBeAoDhC
— ANI (@ANI) April 3, 2018
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମିଥ୍ୟା ଓ ଭ୍ରମାତ୍ମକ ଖବର ଛାପିବା କିମ୍ବା ପ୍ରସାରଣ କରିଥିବା ସମ୍ବାଦିକମାନଙ୍କ ବିରୋଧରେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଘୋଷଣା କରାଯାଇଥିଲା। ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ ମିଥ୍ୟା ଓ ଭ୍ରମାତ୍ମକ ଖବର ମୁଦ୍ରଣ କିମ୍ବା ପ୍ରସାରଣ ସଂପର୍କରେ ପ୍ରମାଣ ମିଳିଲେ ସଂପୃକ୍ତ ସାମ୍ବାଦିକଙ୍କର ସ୍ୱୀକୃତିକୁ ରଦ୍ଦ କରିଦିଆଯିବ। ମିଥ୍ୟା ଓ ଭ୍ରମାତ୍ମକ ଖବର ମୁଦ୍ରଣ କିମ୍ବା ପ୍ରସାରଣର ମାତ୍ରାକୁ ଦେଖି ସଂପୃକ୍ତ ସାମ୍ବାଦିକଙ୍କର ସ୍ୱୀକୃତିକୁ ସାମୟିକ ଭାବେ ବା ସ୍ଥାୟୀ ଭାବେ ରଦ୍ଦ କରାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଥିଲା।
ତେବେ, ମିଥ୍ୟା ଓ ଭ୍ରମାତ୍ମକ ଖବରର କୌଣସି ନିର୍ଦ୍ଧିଷ୍ଟ ସଂଜ୍ଞା ନିରୂପଣ କରାଯାଇ ନଥିବା ବେଳେ, ମୁଦ୍ରିତ ଗଣମାଧ୍ୟମ ସମ୍ପର୍କିତ ସମସ୍ତ ଅଭିଯୋଗ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ(ପିସିଆଇ) ଓ ବୈଦ୍ୟୁତିକ ଗଣମାଧ୍ୟମ ସମ୍ପର୍କିିତ ଅଭିଯୋଗକୁ ଜାତୀୟ ପ୍ରସାରକ ସଂଘ(ଏନ୍ବିଏ) ନିକଟକୁ ପଠାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ଏଥିସହ ଡିଜିଟାଲ ଗଣମାଧ୍ୟମ ସମ୍ପର୍କିତ କୌଣସି ନିୟମ ଏଯାବତ୍ ଲାଗୁ କରାଯାଇ ନଥିବା ବେଳେ ଅତିଶୀଘ୍ର ସରକାର ଏଥିପାଇଁ ମଧ୍ୟ ନିୟମ ଲାଗୁ କରିବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ କହିିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏହି ବିଜ୍ଞପ୍ତି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।